ଧାମରା : ବିଳମ୍ବିତ ରାତିରେ ସମୁଦ୍ରରୁ ମାଡ଼ିଆସିଲା ୨୦ ଫୁଟ୍‌ ଉଚ୍ଚର ଜୁଆର। ଚାହୁଁ ଚାହୁଁ ଶୁଖୁଆ ଖଳାରେ ହୋଇଗଲା ଛାତିଏ ପାଣି। ଆଉ ସମୁଦ୍ର ଭିତରକୁ ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ। ଘରଦ୍ବାରରେ ପାଣି ପଶିଯିବାରୁ ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଅଞ୍ଚଳର ୪୦ରୁ ଅଧିକ ମତ୍ସ୍ୟଜୀବୀ ପରିବାର ପ୍ରାଣ ବିକଳରେ ପହଁରି ପହଁରି ବାତ୍ୟା ଆଶ୍ରୟସ୍ଥଳକୁ ଆସି ଜୀବନ ବଞ୍ଚାଇଛନ୍ତି।

ଶନିବାର ଅମାବାସ୍ୟା ଥିବାରୁ ସମୁଦ୍ର ଅଧିକ ଅଶାନ୍ତ ଥିଲା। ହଠାତ୍‌ ବିଳମ୍ବିତ ରାତିରେ ସାମୁଦ୍ରିକ ଜୁଆର ମାଡ଼ିଆସିଥିଲା। ଫଳରେ, କ୍ବିଣ୍ଟାଲ୍‌ କ୍ବିଣ୍ଟାଲ୍‌ ଶୁଖୁଆ ସହ ସେଠାରେ ଥିବା ଅସ୍ଥାୟୀ ପଲାକୁଡ଼ିଆଗୁଡ଼ିକ ସମୁଦ୍ରରେ ଲୀନ ହୋଇ ଯାଇଥିଲା। ଶୀତ ଦିନେ ଶୁଖୁଆ ଆମଦାନୀର ପ୍ରକୃଷ୍ଟ ସମୟ ହୋଇଥିବାରୁ ଦୋସିଙ୍ଗା ସହ ଧାମରା, ଅମରନଗର, ଚନ୍ଦନୀପାଳ ଆଦି ଅଞ୍ଚଳରେ ଶହ ଶହ ମତ୍ସ୍ୟଜୀବୀ ମାଛ ଶୁଖାଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରନ୍ତି। କରୋନା କଟକଣା ହଟିବା ପରେ ହାତଉଧାରି ଏବଂ ସୁଧରେ ଟଙ୍କା ଆଣି ଶୁଖୁଆ ବେପାର କରିବାକୁ ଆସିଥିଲେ। ହଠାତ୍‌ ସମୁ୍ଦ୍ର ଜୁଆର ଭସେଇ ନେବାଫଳରେ ସେମାନଙ୍କର ସବୁକିଛି ଉଜୁଡ଼ି ଯାଇଛି। ‘ ଏବେ ସମୁଦ୍ର ମୁହଁରେ ସବୁ ଗଲା। ପରିବାର ପ୍ରତିପୋଷଣ କରିବୁ କେମିତି ,’ ବୋଲି କହିଛନ୍ତି ଶୁଖୁଆ ବ୍ୟବସାୟୀ ତପନ ପରିଡ଼ା ଓ କିଣୁରାମ ଦାସ। ସେହିଭଳି; ଗତକାଲିଠାରୁ ବାତ୍ୟା ଆଶ୍ରୟସ୍ଥଳରେ ଆଶ୍ରା ନେଇଛୁ, ବର୍ଷା ଛାଡ଼ିଲେ ଘରଦ୍ବାର ‌ସଜାଡ଼ି ମୁଣ୍ତ ଗୁଞ୍ଜିବୁ। ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ମିଳିଲେ ପୁଣି ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରିବୁ ବୋଲି କହିଥିଲେ ଅନ୍ୟ ଜଣେ ମତ୍ସ୍ୟଜୀବୀ ସୁଧା ଦାସ।

The post ମାଡ଼ିଆସିଲା ୨୦ ଫୁଟ୍‌ର ଜୁଆର, ସମୁଦ୍ରକୁ ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ first appeared on Sambad.

from ଜିଲ୍ଲା | Sambad https://ift.tt/3IpsvRY