
ଯାଜପୁର/ନଠୁଆବର : ଲଘୁଚାପ ବର୍ଷା ପ୍ରଭାବରେ ଯାଜପୁର ଜିଲ୍ଲାବ୍ୟାପୀ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାରହଜାର ଏକର ଜମିରେ ହୋଇଥିବା ଧାନଚାଷରେ ପାଣି ଜମିଯାଇଛି। ତେବେ ରସୁଲପୁର ବ୍ଲକର ପରିବାଝୁଡ଼ି ବାରବାଟୀ ଅଞ୍ଚଳରେ ପରିବା ଚାଷକ୍ଷେତରେ ପାଣି ଜମିଯାଇଛି। ବାରବାଟୀ, ଓଡ଼ିଶୋ, କଲଣ, ଜାବରା, ସିଂହାପୁର, ଶ୍ରୀବନ୍ତପୁର, ଟିକରପଡ଼ା, ବଡ଼କଇଁଚି, ଗନ୍ଧଣ, ଭୋଟକା, ରାଜେନ୍ଦ୍ରପୁର, ପ୍ରଥମାଖଣ୍ତି ପଞ୍ଚାୟତରେ ବ୍ୟାପକ ଭାବେ ପରିବା ଚାଷ ହୋଇଚି। ଏହି ବର୍ଷା ଲତାଜାତୀୟ ପରିବା ପ୍ରତି ବିପଦ ସୃଷ୍ଟି କରିଛି। ପରିବାବାଡ଼ିରେ ବର୍ଷାଜଳ ଲହଡ଼ି ମାରୁଛି। ଏଭଳି ସ୍ଥିତି ପରିବାଚାଷ ପ୍ରତି ବହୁତ କ୍ଷତି ପହଞ୍ଚାଇବ ବୋଲି ଚାଷୀମାନେ କହିଛନ୍ତି। ପରିବା କ୍ଷେତରୁ ପାଣି କାଟିବା ପାଇଁ ଚାଷୀ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ବିଭିନ୍ନ ପଞ୍ଚାୟତରେ ଚାଷୀ ଛାନିଆରେ କଷି ପରିବା ତୋଳି ପକାଇଛନ୍ତି। ଏହାଦ୍ବାରା ଉତ୍ପାଦନ କମିବା ସହ ବ୍ୟାପକ କ୍ଷତି ହୋଇଛି। ପରିବାଚାଷ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ପରିସରଭୁକ୍ତ ହୋଇ ନଥିବାରୁ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବା ସମ୍ଭାବନା ନାହିଁ।
ଶୀତଦିନିଆ ପରିବା କାକୁଡ଼ି, କଲରା, ବିନ୍ସ, ଝୁଡ଼ଙ୍ଗ, ପୋଟଳ, କୋବି, ବାଇଗଣ, କଞ୍ଚାଲଙ୍କା, କଖାରୁ, ଜହ୍ନି, ଭେଣ୍ତି, ବିଲାତି ବାଇଗଣ ଆଦି ଫସଲ ଚାଷ କରାଯାଉଛି। ଏହି ଫସଲ ସାଧାରଣତଃ ଦିନର ଖରା ଓ ରାତିର କାକରରେ ବଢ଼ିଥାଏ। ଆବଶ୍ୟକସ୍ଥଳେ ଚାଷୀ ଜଳସେଚନ କରି ଫସଲରେ ଉନ୍ନତି ଆଣିଥାଏ। ଖରିଫ ଋତୁ ଭଳି ରବି ଋତୁରେ ବର୍ଷାକୁ ଚାଷୀ ଭରସା କରି ନଥାଏ। ଯଦିବା କେବେ ହାଲୁକା ବର୍ଷା ହୋଇଗଲା ତାହା ଚାଷ ପାଇଁ ଅନୁକୂଳ ହୋଇଥାଏ। ମାତ୍ର ଲଗାଣ ବର୍ଷା ଏହି ଫସଲ ପାଇଁ ବିଶେଷ କ୍ଷତି କରିଥାଏ। ବାତ୍ୟାର ପବନ ନାହିଁ ସତ, ହେଲେ ଯେତିକି ବର୍ଷା ହୋଇଛି ତାହା ପରିବାଚାଷର କ୍ଷତି କରିବାକୁ ଯଥେଷ୍ଟ ବୋଲି ଚାଷୀମାନେ କହିଛନ୍ତି। ବର୍ଷା ଛାଡ଼ିଯିବା ପରେ ପତ୍ରଝଡ଼ା, ଝାଉଁଳା, ମୂଳଶଢ଼ା ଭଳି ରୋଗ ଦେଖାଯିବାର ଆଶଙ୍କା କରାଯାଉଛି। ପରିବା ଚାଷ ଆଉ ଲାଭଜନକ ହେବ ନାହିଁ। ଯାହା କିଛି କଲେ ବି କ୍ଷତି ହେବ ବୋଲି ଚାଷୀମାନେ କହିଛନ୍ତି।
ପ୍ରକାଶ ଥାଉକି ଆଜି ସର୍ବାଧିକ ଧର୍ମଶାଳା ବ୍ଲକ ଅଞ୍ଚଳରେ ୪୮ମିଲିମିଟର ବର୍ଷା ହୋଇଥିବା ବେଳେ ଦଶରଥପୁରରେ ୩୨ମିମି, ବରୀ ଓ ଯାଜପୁରରେ ୧୯ମିମି, ବିଂଝାରପୁରରେ ୧୫ମିମି ଓ ସର୍ବନିମ୍ନ ସୁକିନ୍ଦାରେ ୭.୨ମିମି ଓ ବଡ଼ଚଣାରେ ୮ମିମି ବର୍ଷା ହୋଇଛି। ଜୱାଦ ପ୍ରଭାବରେ ହୋଇଥିବା ପବନ ଦ୍ବାରା ଫଳନ୍ତି ଧାନଗଛଗୁଡ଼ିକ ବିଲରେ ଶୋଇଯାଇଥିବା ବେଳେ ପାଣିରେ ଧାନ ଫସଲ ବୁଡ଼ିଛି। ପାଣି କାଦୁଅ ଯୋଗୁଁ ଧାନକଟା ମେସିନ ବିଲରେ ପଶିପାରୁ ନାହିଁ। ଅପରପକ୍ଷରେ ଜମିରୁ ଜଳ ନିଷ୍କାସନର ବାଟ ନାହିଁ। ଯାହାକି ଧାନଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସେହିପରି ପନିପରିବା ପାଇଁ ଚାଷୀମାନେ ହଜାର ହଜାର ଟଙ୍କା ଋଣ କରି ଚାଷ କରିଥିବା ବେଳେ ଏବେ ଅମଳ ସମୟରେ ଏହି ଅଦିନିଆ ବର୍ଷା ସେମାନଙ୍କର ନାହିଁନଥିବା କ୍ଷତି ପହଞ୍ଚାଇଛି। ବିଶେଷ କରି ଫୁଲକୋବିରେ ପୋକ ହେବା ସହିତ ପଚିଯିବା ନିଶ୍ଚିତ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ୧ଲକ୍ଷ ୯ହଜାର ହେକ୍ଟର ଧାନ ଚାଷ ହୋଇଥିବା ବେଳେ ୭ହଜାର ୨୦ ହେକ୍ଟରରେ ପନିପରିବା ଚାଷ ହୋଇଥିବା ସରକାରୀ ତଥ୍ୟ କହୁଛି। ତେବେ ଚଳିତ ବର୍ଷ ମରୁଡି, ବନ୍ୟା, ବର୍ଷା ଜଳ ନିଷ୍କାସନ ନହେବା ଦ୍ବାରା ଚାଷୀମାନେ ନାହିଁନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି।

The post ଲଗାଣ ବର୍ଷା ଯୋଗୁଁ ପାଣିରେ ଶୋଇଲା ପାଚିଲା ଧାନ, ପରିବା ଚାଷକୁ ବିପଦ first appeared on Sambad.ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ
ବନ୍ତଳା : ଦୁଇଦିନ ଧରି ଚାଲିଥିବା ଲଗାଣ ବର୍ଷା ଯୋଗୁଁ ଅନୁଗୁଳ ବ୍ଲକ୍ ବନ୍ତଳା ଅଞ୍ଚଳରେ ବହୁ ପାଚିଲା ଧାନ ଉଜୁଡ଼ିଗଲାଣି। ଅଧିକାଂଶ ଜମିରେ ଏବେ ଆଣ୍ଠୁଏ ପାଣି। ଚାଷୀମାନେ ଧାନ କାଟି ଖଳାକୁ ଆଣିବା ପାଇଁ ଅପେକ୍ଷା କରି୍ଥିବାବେଳେ ଦାଉସାଧିଛି ଅଦିନିଆ ବର୍ଷା। କ୍ଷେତରେ ଏବେ ପାଚିଲା ଧାନ ଗଜା ହେବାକୁ ବସିଲାଣି। ଏ ବର୍ଷ ଧାନଚାଷ ଆରମ୍ଭରେ ଆବଶ୍ୟକ ବର୍ଷା ନହେବାରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହା ଧାନ ବର୍ତ୍ତିଯାଇଥିଲା ଅଦିନିଆ ବର୍ଷା ମୁହଁରେ ଉଜୁଡ଼ିଲାଣି। ଅନେକ ଚାଷୀ ଋଣକରି ଧାନଚାଷ କରିଥିଲେ। ଫସଲ ନଷ୍ଟହେବାରୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି।
from ଜିଲ୍ଲା | Sambad https://ift.tt/3DrpFIJ
0 Comments