
ବୈପାରିଗୁଡା: ୧୦ ଖଣ୍ଡ ଗାଁ ପାଇଁ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ। ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ଠାରୁ ଲୋକ ପ୍ରତିନିଧି ଯାଏ କାହାରି ବି ନିଦ ଭାଙ୍ଗୁନି। ଶେଷରେ ୧୦ ଖଣ୍ଡ ଗ୍ରାମବାସୀ ଏକାଠି ହୋଇ ଏକ ବୈଠକ ଅନୁଷ୍ଠିତ କରି ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ସାଧାରଣ ନିର୍ବାଚନ ଯାଏ ଭୋଟ ବର୍ଜନ ପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି. ମାଝୀଗୁଡା ଗ୍ରାମର ବାର ନମ୍ବର ଓ୍ବାର୍ଡର ଦଶଖଣ୍ଡ ଗ୍ରାମ ପାଇଁ ଆଜିଯାଏ ସବୁଦିନିଆ ରାସ୍ତାଟିଏ ନିର୍ମାଣ କରାଯାଇନାହିଁ। ଯାହାଫଳରେ ଏହି ଦଶଖଣ୍ଡ ଗ୍ରାମର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଡ଼ ବାଙ୍କୁଲି, ଗୁଣ୍ଡିଗୁଡା, ଡୁଡୁମାଗୁଡା, ସାନ ବାଙ୍କୁଲି, ଲକ୍ଷଣପୁର, ଲିମାଯୋଡି, ପଣ୍ଡିତବେଡା, ଅଣ୍ଡରିଗୁଡା, ବାଲିଭଟ୍ଟା ଏବଂ ଯୋଡିଧାରା ଭଳି ଗ୍ରାମର ଲୋକମାନେ ରାସ୍ତା ଅଭାବରୁ ବ୍ଲକ ସଦର ମହକୁମା ଯାଏ ପହଞ୍ଚିବା କଷ୍ଟକର ହୋଇପଡୁଛି। ବ୍ୟାଙ୍କ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନାରେ ପହଞ୍ଚି ନିଜର ଜରୁରୀ କାମ ପାଇଁ ହନ୍ତସନ୍ତ ହେବାକୁ ପଡୁଥିବା ପ୍ରକାଶ କରିଛନ୍ତି। ବିଶେଷ କରି ବର୍ଷା ଋତୁରେ ଘରୁ ପଦାକୁ ବାହାରିବା ଅସମ୍ଭବ ହୋଇପଡୁଛି। ଜି.ମାଝୀଗୁଡା ପଞ୍ଚାୟତ ବୈପାରିଗୁଡା ବ୍ଲକର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଥିବାବେଳେ ଏହି ଗ୍ରାମଗୁଡିକ ଜଙ୍ଗଲ ଏବଂ ପାହାଡ଼ ଘେରା ମଧ୍ୟରେ ରହିଛି। ବହୁ ଦାବି ପରେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ରାସ୍ତାଟିକୁ ଅଧପନ୍ତରିଆ ଭାବେ ଛାଡ଼ି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ନାମକୁ ମାତ୍ର କିଛି ବାଟ ମୋରମ ମାଟି ପକାଇ କାମ ସାରି ଦେଇଛନ୍ତି। କେବଳ ମାଟି ବିଛେଇ ଦିଆ ଯାଇଥିବାରୁ ବର୍ଷା ଦିନେ ମାଟି କାଦୁଅରେ ଘାଣ୍ଟି ଚକଟି ହେବାକୁ ପଡୁଥିବା ପ୍ରକାଶ କରିଛନ୍ତି। ଏଭଳି ଅବସ୍ଥାରେ ଗ୍ରାମବାସୀ ମାନେ ବଞ୍ଚୁଥିବା ବେଳେ ସ୍ଵାସ୍ଥ୍ୟ ଜନିତ ରୋଗୀ ଚିକିତ୍ସା ପାଇଁ ଗାଁ ଯାଏ ଆମ୍ବୁଲାନ୍ସ ପହଞ୍ଚିପାରୁ ନଥିବାରୁ ରୋଗୀଙ୍କୁ ଭଗବାନଙ୍କ ଭରସାରେ ଛାଡ଼ି ଦେବା ପାଇଁ ବାଧ୍ୟ ହେଉଛନ୍ତି। ଏଥିସହିତ ସାନବାଙ୍କୁଲି, ଅଣ୍ଡରିଗୁଡା, ବାଲିଭଟ୍ଟା ଏବଂ ଯୋଡିଧାରା ଭଳି ଗ୍ରାମ ଗୁଡିକରେ ପିଇବା ପାଣିର ଉତ୍କଟ ଅଭାବ ଯୋଗୁଁ ବର୍ଷସାରା ଚୁଆ ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହାଛଡ଼ା ଗ୍ରାମ ଗୁଡିକରେ ବିଜୁଳି ଆଲୁଅ ଆଜି ଯାଏ ଯୋଗାଇ ଦିଆଯାଇନାହିଁ। ବଡବାଙ୍କୁଲି ଠାରେ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ପିଲାମାନଙ୍କୁ ନଦୀ ପାର ହୋଇ ଯିବାକୁ ପଡୁଛି। ବର୍ଷା ଦିନେ ଗ୍ରାମବାସୀ ମାନଙ୍କୁ ଜଳବନ୍ଦୀ ଜୀବନ କଟେଇବାକୁ ପଡୁଛି। ଏସମସ୍ତ ସମସ୍ୟାର ସମାଧାନ ଯଦି କରାନଯାଏ, ତେବେ ଏହି ଦଶଖଣ୍ଡ ଗ୍ରାମର ଲୋକେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
The post ଦଶଖଣ୍ଡ ଗାଁକୁ ନାହିଁ ରାସ୍ତା, ପଞ୍ଚାୟତ ନିର୍ବାଚନରେ ସାମିଲ ହେବେନି ମତଦାତା! first appeared on Sambad.from ଜିଲ୍ଲା | Sambad https://ift.tt/332VU4s
0 Comments