
କୋରାପୁଟ: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଉପାନ୍ତ ଇଲାକାରେ ସ୍ବାସ୍ଥ୍ୟସେବା ଗୁରୁତର ହୋଇପଡ଼ିଛି। ଏହା ନକଲି ଡାକ୍ତରଙ୍କ ପାଇଁ ମୌକା ଦେଇଛି। ପ୍ରତ୍ୟେକ ଅଞ୍ଚଳରେ ନକଲି ଡାକ୍ତର(କ୍ବାକ) ଘୁରି ବୁଲୁଛନ୍ତି। ଲୋକେ କ୍ବାକଙ୍କ ଉପରେ ଭରସା କରି ଚିକିତ୍ସିତ ହେଉଥିବାବେଳେ ଅନେକ ସ୍ଥଳରେ ଅବସ୍ଥା ବେହାଲ ହୋଇପଡୁଛି। କ୍ବାକଙ୍କ ଭୁଲ ଇଞ୍ଜେକସନରେ କରା କାନ୍ତାମ୍ମା (୨୧) ନାମ୍ନୀ ଜନୈକ ପ୍ରସୂତିଙ୍କ ଅବସ୍ଥା ସାଂଘାତିକ ହୋଇଯିବା ପରେ ଏହା ସ୍ପଷ୍ଟ ହୋଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ପଞ୍ଚାୟତ ଅନ୍ତର୍ଗତ ପେଦାପାଡୁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି।
କାନ୍ତାମ୍ମା ଏବେ ୩ ମାସର ଗର୍ଭବତୀ ଅଛନ୍ତି। ଗତ ଗୁରୁବାର ହଙ୍କଳର ଆନ୍ଧ୍ର ପ୍ରଦେଶର ସାଲୁର ନିକଟ ହଙ୍କଳର ଜେନୖକ କ୍ବାକ ଦମ୍ପତି ସାପ୍ତାହିକ ହାଟକୁ ଆସିଥିଲେ। କାନ୍ତାମ୍ମାଙ୍କ ପେଟ କାଟିବାରୁ ସ୍ୱାମୀ କରା ରାମାନ୍ନା ମେଡିସିନ ଆଣିଥିଲେ । କିଛ ମେଡିସିନ ଖାଇବା ପରେ ତାଙ୍କ ଦେହ ଅଧିକ ଖରାପ ହୋଇଥିଲା । ପରେ ସେ ସମ୍ପୃକ୍ତ କ୍ବାକଙ୍କ ନିକଟକୁ ନେଇଥିଲେ। ତିନିଘଣ୍ଟା ବିନିମୟରେ ଏହି କ୍ୱାକ୍ ଦମ୍ପତ୍ତି ତାଙ୍କୁ ତିନୋଟି ଇଞ୍ଜେକ୍ସନ ଦେଇଥିଲେ । ହାଟ ଭାଙ୍ଗିବାପରେ କ୍ୱାକ୍ ସାଲୁର ଫେରି ଯାଇଥିଲେ। କିଛି ସମୟ ପରେ ମହିଳାଙ୍କର ଅବିରତ ରକ୍ତଶ୍ରାବ ହୋଇଥିଲା ।
ପରେ ଆଶା ତିରୁମାଲା ତାଙ୍କୁ ଓଡ଼ିଶା ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ଉପଚାର କରିଥିଲେ ବି ସୁଫଳ ମିଳି ନଥିଲା । ରାତିରେ ଗୁରତର ହେବାରୁ ତାଙ୍କୁ ପେଦାପାଡୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତାଙ୍କୁ ପେଦାପାଡୁ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କାଳନ୍ଦୀ ବେହେରା ଘରକୁ ଯାଇ ଚିକିତ୍ସା କରିବା ପରେ ସେ ଠିକ ହୋଇଥିଲେ। ଉପାନ୍ତ ଅଞ୍ଚଳ ହୋଇଥିଲେ ବି ସେଠି ବିକାଶର ଛାପ ବାଜିଛି। ତେବେ ସରକାରୀ ସ୍ୱାସ୍ଥ୍ୟ ସେବା ଅଂଚଳବାସୀ ଙ୍କ ପାଇଁ ପ୍ରହସନ ପାଲଟିଛି । ତେଣୁ ସବୁଠି କ୍ବାକ ମାତିଛନ୍ତି। ଡାକ୍ତରୀ ପାଠ ପଢ଼ିନଥିଲେ ବି ଡାକ୍ତରଙ୍କ ଭଳି ଚିକିତ୍ସା କରି ନିରୀହ ଆଦିବାସୀଙ୍କୁ ଠକି ଚାଲିଛନ୍ତି। ମନଇଚ୍ଛା ଔଷଧ ଓ ଇଜେକ୍ସେନ ଦେଉଛନ୍ତି। ପଚାରିଲେ ଆମକୁ ଆମ ମଣ୍ଡଳ ଡାକ୍ତର ପଠାଇଛନ୍ତି ବୋଲି କହୁଛନ୍ତି । ଚିକିତ୍ସା ନାଁରେ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି।
ପଞ୍ଚାୟତର ଜାମୁଗୁଡା, ଗଞ୍ଜେଇପାଡୁ, କାରିବେଢା ଗାଁରେ ଠାଏ ଠାଏ ବସି ବାଣ୍ଟୁଛନ୍ତି ଔଷଧ। ଚିକିତ୍ସା ମଧ୍ୟ କରୁଛନ୍ତି ଆଉ ପଚାରିଲେ କହୁଛନ୍ତି ଆଗରୁ ଆମେ ବହୁଥର ମେଡିକାଲ କ୍ୟାମ୍ପ ମଧ୍ୟ କରିଛୁ। ପେଟି ପେଟି ଔଷଧ ଓ ଇଞ୍ଜେକସନ ସାଙ୍ଗରେ ଆଣୁଛନ୍ତି। ରୋଗୀ ପିଛା ହଜାରରୁ ଦୁଇ ହଜାର ଟଙ୍କା ନେଉଛନ୍ତି । ସବୁଠୁ ବଡ କଥା ହେଉଛି ଔଷଧ ଦେଉଥିବା ସାଲୁର କ୍ୱାକ୍ ଦମ୍ପତ୍ତିଙ୍କ ପୂର୍ବରୁ ବହୁଥର ଏହି ଅଂଚଳରେ ମେଡିକାଲ କ୍ୟାମ୍ପ କରିଛନ୍ତି , ଆଉ ତାଙ୍କର କିଏ ବଡ ଡାକ୍ତର ଆସି ରୋଗୀଙ୍କୁ ପରୀକ୍ଷା କରି ଔଷଧ ଲେଖିନେଇଥିଲେ, ଏବେ ସେମାନେ ଆସି ଲେଖାଯାଇଥିବା ଔଷଧ କୁ ଦେଉଛନ୍ତି।
ରୋଗୀ ଭଲ ହେବା ପରିବର୍ତ୍ତେ ସାଂଘାତିକ ହୋଇପଡୁଛି। ତେଣୁ ପ୍ରଶାସନ ଏଭଳି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ସହ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏନେଇ କୋରାପୁଟ ସିଡିଏମଓ ମକରନ୍ଦ ବେଉରା କହିଛନ୍ତି ଯେ ଉପାନ୍ତ ହୋଇଥିବାରୁ କେଉଁଠିକି କ୍ୱାକ୍ ଆସୁଛନ୍ତି, କିଏ ଯାଉଛନ୍ତି ତାହା ଜଣାପଡୁନାହିଁ । ଏହି ଅଞ୍ଚଳରେ ଆମର ଡାକ୍ତରଖାନା ରହିଛି, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ରହିଛନ୍ତି । ଏହି ଘଟଣାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।
The post କ୍ୱାକ୍ଙ୍କ ଭୁଲ ଇଞ୍ଜେକସନରେ ପ୍ରସୂତିଙ୍କ ଅବସ୍ଥା ସାଂଘାତିକ first appeared on Sambad.from ଜିଲ୍ଲା | Sambad https://ift.tt/3or7IWm
0 Comments