
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ଦୁର୍ଗମ ଅଞ୍ଚଳରେ ଅନେକ ଦିନ ହେବ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଗୁରୁବାର ସଦର ବ୍ଲକ୍ ସୀମାନ୍ତ ଯୋଗସାଇପାଟଣା ପଞ୍ଚାୟତ ପଟାଙ୍ଗପଦର ଗାଁରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ୨୫ ଟିକିଆ ପଲ ନିକଟସ୍ଥ ମୂଷାନାଳ ଫରେଷ୍ଟ ଅଧୀନ ଦଲମା ବିଟ୍ର ଧଡ଼େଲ ଜଙ୍ଗଲରୁ ପଟାଙ୍ଗପଦର ଗାଁକୁ ଆସିଥିଲେ। ପ୍ରଥମେ ଗାଁର ରୁପା ମାଝୀ, ପରେ ସାନ୍ଧା ମାଝୀ ଓ ଡ୍ରିକୁ ମାଝୀଙ୍କ ଘରକୁ ଭାଙ୍ଗି ଦେଇ ଘରର ଆସବାପତ୍ର ଧାନ, ମାଣ୍ଡିଆ, ଚାଉଳ ଆଦି ଖାଦ୍ୟଶସ୍ୟ ନଷ୍ଟ କରିଥିଲେ। ପରେ ନିକଟସ୍ଥ ଅସୁରଗୁଡ଼ା ଗାଁର ଦଶରଥ ମାଝୀଙ୍କ ମାଣ୍ଡିଆ, କୁଶଳା ଓ ବିରି ଚାଷକୁ ନଷ୍ଟ କରିଛନ୍ତି।

ଏହି ଗାଁଟି ଯୋଗସାଇପାଟଣା ପଞ୍ଚାୟତରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ। ଘର ଭାଙ୍ଗିଯିବା ପରେ ୩ଟି ପରିବାର ବର୍ତ୍ତମାନ ବାସହରା ହୋଇ ପଡ଼ିଛନ୍ତି। ହାତୀପଲ ଧଡ଼େଲ ଜଙ୍ଗଲରେ ରହି ଗର୍ଜ୍ଜନ କରୁଥିବାରୁ ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଖବର ପାଇ ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀ ନିଜ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ ସହ ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି। ଏଲିଫ୍ୟାଣ୍ଟ ସ୍କ୍ବାଡ୍କୁ ସଜାଗ ରଖାଯାଇଛି ବୋଲି କହିଛନ୍ତି।
The post ଲାଞ୍ଜିଗଡ଼ରେ ହାତୀ ଉପଦ୍ରବ: ୩ ଘର ଭାଙ୍ଗି ଖାଦ୍ୟ ଶସ୍ୟ ନଷ୍ଟ କଲେ first appeared on Sambad.from ଜିଲ୍ଲା | Sambad https://ift.tt/3ofWPXb
0 Comments