
ପାଟଣାଗଡ଼: ପାଟଣାଗଡ଼ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୀର୍ଘଦିନ ଧରି ଯୁବ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରି ଆସୁଥିବା ବେଳେ ଆସନ୍ତା ୯ ତାରିଖରେ ବିଧାନସଭା ଘେରିବା ଯୋଜନା ରଖିଥିବା ନେଇ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପାଟଣାଗଡ଼ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଶନିବାର ଦ୍ବିପ୍ରହରରେ ଏକ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରା ଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଦିନେଶ ଶର୍ମା, ରାଜ୍ୟ ସମ୍ପାଦକ ପ୍ରିତିଶ ବହିଦାର, ଯୁବ ମୋର୍ଚ୍ଚାର ଜାତୀୟ କାଉନସିଲ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ରାଜ୍ୟ ସମ୍ପାଦିକା ତଥା ବଲାଙ୍ଗୀର ପ୍ରଭାରୀ ଅର୍ଚନା ବାଗ ଯାଦବ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ସିଂହ, ବଲାଙ୍ଗୀର ଜିଲ୍ଲା ଯବୁ ସଭାପତି ସୁଶାନ୍ତ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ଯୁବ ମୋର୍ଚ୍ଚା ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ସମଗ୍ର ରାଜ୍ୟରେ ପାଖାପାଖି ଦୁଇମାସ ହେଲା ବିଜେପି ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ ଶୋଭାଯାତ୍ରା ମାନ କରି ଆସୁଛି। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି।
ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ମାମାଲାରେ ସିଧାସଳଖ ଭାବେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ହାତ ରହିଥିବାରୁ ରାଜ୍ୟ ସରକାର ଓ ରାଜ୍ୟ ପୁଲିସ ଘଣ୍ଟ ଘୋଡାଉଛି ବୋଲି ଅଭିଯୋଗ କରିଥିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବା ଦାବି କରିଛି। ଯଦି ମନ୍ତ୍ରୀଙ୍କ ହାତ ନାହିଁ ତେବେ ରାଜ୍ୟ ସରକାର ସିବିଆଇ ତଦନ୍ତରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛି। ଅପର ପକ୍ଷରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନ ହେଲା ଚୁପ ହୋଇ ରହିଥିବା ବେଳେ ବିଧାନସଭାରେ ଏକ ଅଡିଓ/ଭିଡିଓ ଟେପ ମାଧ୍ୟମରେ ସୂଚନା ଦେବା ହାସ୍ୟାଷ୍ପଦ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରା ଯାଇଥିବା ଜଣାପଡିଛି। ଏହା ସହିତ ମମିତା ମେହେରକୁ ନ୍ୟାୟ ପ୍ରଦାନ ଦାବୀରେ ଆସନ୍ତା ୯ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚାର ଶହସ୍ରାଧୀକ କର୍ମୀ ଏକତ୍ରିତ ହୋଇ ବିଧାନସଭା ଘେରିବ ବୋଲି ନିଷ୍ପତ୍ତି ନିଆ ଯାଇଥିବା ନେଇ ସୂଚନା ଦିଆ ଯାଇଛି। ଏହା ସତ୍ତ୍ବେ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରା ନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆ ଯାଇଛି।
The post ୫ ଜିଲ୍ଲାର ଶହସ୍ରାଧିକ କର୍ମୀଙ୍କୁ ନେଇ ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି first appeared on Sambad.from ଜିଲ୍ଲା | Sambad https://ift.tt/2ZUSobb
0 Comments