
ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା। ରାଜଧାନୀ ଥିବାରୁ ସରକାର ଓ ଉଚ୍ଚାଧିକାରୀଙ୍କ ଦୃଷ୍ଟିରେ ସର୍ବଦା ରହୁଥିବାରୁ ବିକାଶ ଓ ଯୋଜନାର କାର୍ଯ୍ୟକାରିତା ଠିକ ଭାବେ ହେଉଥିବ ବୋଲି ଧାରଣା ହୁଏ। ସରକାରଙ୍କ ପ୍ରିୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରିବା ଯୋଜନାର ଅଗ୍ରଗତି ଦେଖିଲେ ଧାରଣା ଭୁଲ ପ୍ରମାଣିତ ହୋଇଛି। ଆଖିଦୃଶିଆ ଭାବେ ଋଣ ମେଳା, ପ୍ରଶିକ୍ଷଣ ଆଦି ଦିଆଯାଉଥିଲେ ମଧ୍ୟ ଅର୍ଦ୍ଧାଧୀକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ଜିଲ୍ଲାସ୍ତରୀୟ ଋଣପ୍ରଦାନ ସମ୍ପର୍କିତ ବୈଠକରୁ ମିଳିଥିବା ତଥ୍ୟରୁ ଏହା ଜଣାଯାଇଛି। ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଋଣ ପ୍ରଦାନ ସମ୍ପର୍କିତ ସମୀକ୍ଷା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ୨୦୨୧- ୨୨ ଆର୍ଥିକ ବର୍ଷରେ ଜିଲ୍ଲାର ୧୨୫୪୦ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୨୫୬୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହା ମଧ୍ୟରୁ ୯୬୫୫ ଟି ଗୋଷ୍ଠୀକୁ ପୁନର୍ବାର ଋଣ ଦେବା ଓ ୨୮୮୫ଟି ଗୋଷ୍ଠୀକୁ ନୂତନ ଭାବେ ଋଣ ଦେବା ପାଇଁ ସ୍ଥିର ହୋଇଥିଲା। ଡିସେମ୍ବର ପହିଲା ସୁଦ୍ଧା ମାତ୍ର ୭୨୮୯ ଗୋଷ୍ଠୀଙ୍କୁ ୧୯୦୭୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି।
ଯେଉଁମାନେ ଋଣ ପାଇଛନ୍ତି ସେମାନଙ୍କ ମଧ୍ୟରୁ ୫୮୫୭ଟି ଗୋଷ୍ଠୀକୁ ପୁନଃର୍ବାର ଓ ୧୪୩୨ଟି ଗୋଷ୍ଠୀଙ୍କୁ ନୂତନ ଭାବେ ମୋଟ ୧୬୬୦୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅର୍ଥାତ୍ ନୂତନ ଭାବେ ମାତ୍ର ୨୪୬୬ଲକ୍ଷ (୨୪ କୋଟି ୬୬ଲକ୍ଷ) ଟଙ୍କା ନୂତନ ଗୋଷ୍ଠୀକୁ ପ୍ରଦାନ କରାଯାଇଛି। ମିଶନଶକ୍ତି ଠାରୁ ମିଳିଥିବା ତଥ୍ୟାନୁସାରେ, ଜିଲ୍ଲାରେ ୨୦ହଜାର ୯୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି। ତେବେ ଉପରୋକ୍ତ ତଥ୍ୟରୁ ଏହା ସ୍ପଷ୍ଟ ଯେ ସରକାରଙ୍କ ଋଣ ପ୍ରଦାନ ବ୍ୟବସ୍ଥାରେ ମାତ୍ର ଅଧା ଗୋଷ୍ଠୀ ସାମିଲ ହୋଇପାରିଛନ୍ତି। ଯେଉଁମାନେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧା ଗୋଷ୍ଠୀକୁ ହିଁ ପୁନଃର୍ବାର ଋଣ ପ୍ରଦାନ କରାଯାଉଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବ୍ୟାଙ୍କର ନିୟମାନୁସାରେ, ଅଧିକାଂଶ ଗୋଷ୍ଠୀ ଋଣ ଟଙ୍କା ନେଇ ସଠିକ ବିନିଯୋଗ କରିପାରିନାହାନ୍ତି କିମ୍ବା ଋଣ ପରିଶୋଧ କରିପାରିନାହାଁନ୍ତି। ଏନେଇ ଓଏଲ୍ଏମ୍ ଡିପିଏମ୍ ବିବେକ ରଞ୍ଜନ ବେଉରିଆ କହିଛନ୍ତି ଯେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତା ଜାନୁଆରୀ ୧ ତାରିଖ ଠାରୁ ୧୫ ତାରିଖ ଯାଏଁ ବ୍ଲକ ୱାରି ଋଣ ପ୍ରଦାନ ମେଳା ଆଦିର ଆୟୋଜନ ହେବ। ବର୍ତ୍ତମାନ ସୁଦ୍ଧା ୧୪୩୨ଟି ଗୋଷ୍ଠୀ ଆବେଦନ ଜିଲ୍ଲାର ୧୦ଟି ବ୍ୟାଙ୍କ ଶାଖାରେ ରହିଛି। ଚଳିତବର୍ଷ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା ଓ ବଳକା ରହିଥିବା ଗୋଷ୍ଠୀଙ୍କୁ ଜାନୁଆରୀ ଶେଷ ସୁଦ୍ଧା ଋଣ ପ୍ରଦାନ କରାଯିବ।
The post ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ ଯୋଜନା, ପୂରଣ ହେଉନି ଧାର୍ଯ୍ୟ ଲକ୍ଷ୍ୟ first appeared on Sambad.from ଜିଲ୍ଲା | Sambad https://ift.tt/3lxVIAF
0 Comments