
ଭାଲୁମୁଣ୍ଡା : ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବଙ୍ଗୋମୁଣ୍ଡା ବ୍ଲକ୍ ତୁରେକେଲା ପଞ୍ଚାୟତ ସଦର ଗାଁର ରାସ୍ତା ଉପରେ ମଇଳା ପାଣି ପ୍ରବାହିତ ହେଉଛି। ଏହାର ସୁବ୍ୟବସ୍ଥା କରିବାକୁ ଦାବି କରି ଶନିବାର ଏହି ଗାଁର ଟଙ୍କ ପୁଟେଲ ଅଭିନବ ପ୍ରତିବାଦ କରିଥିଲେ। ନିଜ ଘର ସାମନା ରାସ୍ତାରେ ଜମି ରହିଥିବା ମଇଳା ପାଣିରେ ଶୋଇ ରହି ସେ ପ୍ରତିବାଦ କରିଥିଲେ।
ଶ୍ରୀ ପୁଟେଲଙ୍କ ଅଭିଯୋଗ ଅନୁସାରେ, ଗାଁ ବସ୍ତି ଭିତରୁ ଦୂଷିତ ପାଣି ଆସି ତାଙ୍କ ଘର ସମ୍ମୁଖରେ ଜମି ରହୁଛି। ଗତ ୧୫ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ମଶା ମାଛି ବୃଦ୍ଧି ପାଇବା ସହ ଯିବା ଆସିବାରେ ଅସୁବିଧା ହେଉଛି। ଏପରିକି ତାଙ୍କ ବୃଦ୍ଧା ମା’ ଯାଉଥିବା ସମୟରେ ପଡ଼ିଯାଇ ଆହତ ହୋଇଥିଲେ। ତେଣୁ ତୁରନ୍ତ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଦାବି କରି ଶ୍ରୀ ପୁଟେଲ ଉକ୍ତ ଦୂଷିତ ପାଣିରେ ଶୋଇଥିଲେ। ଖବର ପାଇ ପଞ୍ଚାୟତ ଇଓ ପ୍ରଭାତ ବେହେରା ଏବଂ ଜେଇ ଧୀରେନ ସାହୁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ଅଳ୍ପ ଦିନ ମଧ୍ୟରେ ଡ୍ରେନେଜ୍ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଉଠିଥିଲେ।
The post ଡ୍ରେନେଜ୍ ବ୍ୟବସ୍ଥା ଦାବିରେ ଅଭିନବ ପ୍ରତିବାଦ: ରାସ୍ତାରେ ଜମିଥିବା ମଇଳା ପାଣିରେ ଶୋଇଲେ first appeared on Sambad.from ଜିଲ୍ଲା | Sambad https://ift.tt/3dl6HsD
0 Comments