କାଳିଆପାଣି : ନଗଡ଼ା ଗାଁର ୧୦ ଜଣ ଶିଶୁ ଶ୍ରମିକଙ୍କୁ ଜନୈକ ଦଲାଲ୍‌ ବିଭିନ୍ନ ପ୍ରଲୋଭନ ଦେଖାଇ ଭୁବନେଶ୍ବରରେ ଖଟାଉଥିଲେ। ‘ସମ୍ବାଦ’ରେ ଏନେଇ ଖବର ପ୍ରକାଶ ପରେ ଦୁଇଦିନ ଧରି ପ୍ରଶାସନ ପକ୍ଷରୁ ତନାଘନା ହୋଇଛି। ଡିସିପିଓଙ୍କ ଏତଲା ପରେ ଥାନାରେ ମାମଲା ରୁଜୁ କରାଯାଇଛି। ତେବେ, କାର୍ଯ୍ୟାନୁଷ୍ଠାନ ଭୟରେ ସମ୍ପୃକ୍ତ ଠିକାଦାର ଓ ଦଲାଲ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଠିକାଦାର ଓ ଦଲାଲ୍‌ ଗତକାଲି ନଗଡ଼ାର ୭ ଜଣ ଶିଶୁ ଶ୍ରମିକଙ୍କ ସହ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଅନ୍ୟ ୩ ଜଣ ଶ୍ରମିକଙ୍କୁ ବସ୍ ଯୋଗେ ଘରକୁ ପଠାଇ ଦେଇଥିଲେ । ନାବାଳକମାନଙ୍କୁ ଗତକାଲି ଠିକାଦାର ପକ୍ଷରୁ ଗସ୍ତଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଦିଆଯାଇଥିଲା ପରେ ସେମାନଙ୍କୁ ବକେୟା ମଜୁରି ମିଳିବ ବୋଲି ଠିକାଦାର ପାଖରୁ ପ୍ରତିଶ୍ରୁତି ଦେଇଛନ୍ତି। ଶିଶୁ ଶ୍ରମିକମାନେ ବସ୍ ଯୋଗେ ଡୁବୁରି ପହଞ୍ଚିବା ପରେ ସମସ୍ତେ ବୋଲେରୋ ଭଡ଼ାକରି ରାତି ୧୦ଟା ବେଳକୁ ନଗଡ଼ା ପହଞ୍ଚିଥିବା ଉପରନଗଡ଼ାର ଯୋଗେନ୍ଦ୍ର ପ୍ରଧାନ କହିଛନ୍ତି।

ଅନ୍ୟପକ୍ଷରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି), ଶିଶୁ ସୁରକ୍ଷା ୟୁନିଟ୍‌ ଓ ଶ୍ରମ କାର୍ଯ୍ୟ‌ାଳୟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରିଛି। ପ୍ରଶାସନ ଓ ପୁଲିସ ପକ୍ଷରୁ ବାରମ୍ବାର ଯୋଗାଯୋଗ ପରେ ଶିଶୁ ଶ୍ରମିକମାନଙ୍କୁ ସିଡବ୍ଲ୍ୟୁସିରେ ହାଜର ନ’ କରାଇବା ପ୍ରସଙ୍ଗରେ ସିଡବ୍ଲ୍ୟୁସି ପକ୍ଷରୁ ଦଲାଲ୍‌ ଓ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କୁ ପରାମର୍ଶ ଦିଆଯାଇଛି। ସିଡବ୍ଲ୍ୟୁସି ସଦସ୍ୟ ଶୁଭ୍ରାଂଶୁ ଶେଖର ରାୟଙ୍କ ସ୍ବତନ୍ତ୍ର ଚିଠି ହସ୍ତଗତ ହେବା ପରେ ଡିସିପିଓ ନିରଞ୍ଜନ କର ଆଜି ମେଲ୍‌ ଯୋଗେ କାଳିଆପାଣି ଥାନାରେ ଏତଲା ଦେଇଛନ୍ତି। ଏ ପ୍ରସଙ୍ଗରେ ଥାନା ଅଧିକାରୀ ସୁଶାନ୍ତ କୁମ‌ାର ଦାସଙ୍କୁ ଯୋଗାଯୋଗ କରିବାରେ ଡିସିପିଓଙ୍କ ଏତଲା ଆଧାରରେ ଥାନାରେ ଏକ କେସ୍ ୧୨୩/୨୧ ରୁଜୁ ହୋଇଥିବା ଓ ତଦନ୍ତ ଜାରି ରହିଥିବା କହିଥିଲେ।

The post ନଗଡ଼ା ଶିଶୁ ଶ୍ରମିକ ଚାଲାଣ ମାମଲା: କାର୍ଯ୍ୟାନୁଷ୍ଠାନ ଭୟରେ ଛାଡ଼ିଦେଲେ first appeared on Sambad.

from ଜିଲ୍ଲା | Sambad https://ift.tt/3EtEVpQ