
ସୁନ୍ଦରଗଡ଼/ବାଲିଶଙ୍କରା : କଂଗ୍ରେସର ଟାଣୁଆ ଆଦିବାସୀ ନେତା ତଳସରା ବିଧାନସଭାର ୩ ଥରର ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଦଳ ଛାଡ଼ି ବିଜେଡିରେ ଯୋଗଦେବେ। ଆସନ୍ତା ଡିସେମ୍ବର ୧୦ ତାରିଖରେ ସେ ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିର ହାତ ଧରିବେ। ଡ. ମାଝୀ ନିଜେ ଆମ ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।
ତଳସରାର ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ଝିଆରୀ ଜ୍ବାଇଁ ଡ. ମାଝୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ। ୨୦୦୬ ମସିହା ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ପରେ ହୋଇଥିବା ଉପ-ନିର୍ବାଚନରେ ଡ. ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା।
୨୦୧୯ ନିର୍ବାଚନ ସମୟରେ ହିଁ ସେ କଂଗ୍ରେସ ଛାଡ଼ି ବିଜେଡିକୁ ଯିବାକୁ ମନ ବଳାଇଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ କୌଣସି କାରଣରୁ ତାହା ସମ୍ଭବ ହୋଇ ନଥିଲା ଓ ସେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ିଥିଲେ। ତେବେ ଟାଣୁଆ ଆଦିବାସୀ ଚେହେରା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ପରେ ଡ. ମାଝୀ କଂଗ୍ରେସ ଛାଡ଼ିବା ଆପାତତଃ ସ୍ପଷ୍ଟ ହୋଇଛି। ଏହା ଦଳ ପାଇଁ ଚିନ୍ତାର କାରଣ ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି।
The post କଂଗ୍ରେସ ଛାଡ଼ି ବିଜେଡିକୁ ଯିବେ ପ୍ରଫୁଲ୍ଲ first appeared on Sambad.from ଜିଲ୍ଲା | Sambad https://ift.tt/3Ip8Hyo
0 Comments