ବସ୍ତା/ଗାନ୍ଧିଛକ: ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ବେଲି ଗ୍ରାମରେ ଆଜି ଅଙ୍ଗନବାଡି ପାଚିକା ଚୟନକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଆଉ ଏଥିରେ ବସ୍ତା ସିଡିପିଓଙ୍କୁ ଆଜି ହଟହଟା ହେବାକୁ ପଡ଼ିଥିଲା। ସୂଚନା ଅନୁସାରେ, ବେଲି ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ପାଚିକା ବ୍ରଜେଶ୍ୱରୀ ପାତ୍ରଙ୍କର ୨୦୧୮ ମସିହାରେ ମୃତ୍ୟୁ ହୋଇଥିଲା। ଏହାପରେ  ବିଭାଗ ପକ୍ଷରୁ ପାଚିକା ଚୟନ ପାଇଁ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଚୟନ ପ୍ରକ୍ରିୟା ମଧ୍ୟ ହୋଇଥିଲା। ମାତ୍ର ସେତେବେଳେ ବି ଉତ୍ତେଜନା ପ୍ରକାଶ ପାଇବାରୁ ଏହି କାର୍ଯ୍ୟ ସ୍ଥଗିତ ରହିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘଟଣାର ଦୁଇବର୍ଷ ପରେ ନୂତନ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ନକରି ଆଜି ଚିଠି ନମ୍ୱର ୬୭୩ ମୂଳେ ହଠାତ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଏହି ଘଟଣା ଜାଣିବା ପରେ ଗ୍ରାମର କିଛି ମହିଳା ଏହାକୁ ବିରୋଧ କରି ମୁଖ୍ୟ ଗେଟ ନିକଟରେ ପାଟିତୁଣ୍ଡ କରିଥିଲେ। ଫଳରେ ସେଠାରେ ସପକ୍ଷ ବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବା ସହିତ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ଚୟନ ପ୍ରକ୍ରିୟା ପାଇଁ ଆସିଥିବା ବସ୍ତା ସିଡିପିଓ ଚମ୍ପାମଣି ମୁର୍ମୁ ଓ ସୁପରଭାଇଜରଙ୍କୁ ହଟହଟା ର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବିପକ୍ଷବାଦୀମାନେ ତାଙ୍କୁ ଭିତରକୁ ଛାଡୁନଥିବା ବେଳେ ସପକ୍ଷବାଦୀ ମାନେ ଉଭୟଙ୍କୁ ସ୍କୁଲ ହତା ଭିତରକୁ ଜବରଦସ୍ତ ଭିଡ଼ି ଆଣିଥିଲେ। ଉକ୍ତ ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ  ଉତ୍ତେଜନା ଦେଖାଦେଇଥିଲା। ସିଂଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି  ପରିସ୍ଥିତି ଆୟତ୍ତ କରିବା ପରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପଦବୀ ପାଇଁ ମୋଟ ୬ଜଣ ମହିଳା ଆବେଦନ କରିଥିବା ବେଳେ ସବୁଠୁ ଅଧିକ ଭୋଟ ପାଇ ସଂଯୁକ୍ତା ନାୟକ ଚୟନ ହୋଇଥିଲେ।

The post ପାଚିକା ଚୟନକୁ ନେଇ ଉତ୍ତେଜନା, ସିଡିପିଓ ହଟହଟା  first appeared on Sambad.

from ଜିଲ୍ଲା | Sambad https://ift.tt/3ElRALi