
ବାଲେଶ୍ବର: କେବଳ ବାବୁ ନୁହନ୍ତି, ପିଅନ ବି ଦୁର୍ନୀତିରେ ବୁଡ଼ିଛନ୍ତି। ବାଲେଶ୍ବର ପୂର୍ତ୍ତ ବିଭାଗ-୨ କାର୍ଯ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଜି ଜଣେ ଠିକାଦାରଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି କର୍ମଚାରୀଜଣକ ହେଲେ ପଦ୍ମନାଭ ସ୍ବାଇଁ। ଘର ସୋର ଥାନା ଉତ୍ତରେଶ୍ବରରେ। ପୂର୍ତ୍ତ ବିଭାଗରେ ପିଅନ ପଦରେ ନିଯୁକ୍ତି ପାଇଥିଲେ ହେଁ ଶ୍ରୀ ସ୍ବାଇଁ ଅଡିଟର୍ ଭାବେ କାମ କରୁଥିଲେ। ବିଭାଗରେ ତାଙ୍କର ବେଶ ଆଧିପତ୍ୟ ରହିଥିଲା। ତାଙ୍କଠାରୁ ମୋଟା ଅଙ୍କର ଅର୍ଥ ଜବତ ହେବା ପରେ ଭିଜିଲାନ୍ସ ତାଙ୍କ ସୋର ବାସଭବନରେ ଚଢ଼ଉ କରିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କଟକ ଅମ୍ବିକା ଏଜେନ୍ସିର ଠିକାଦାର ରୁଦ୍ରକୁମାର ବେହେରା ବାଲେଶ୍ବର ମେଡିକାଲ୍ କଲେଜରେ କାମ ପାଇଁ ପୂର୍ତ୍ତ ବିଭାଗରେ ୧୧ ଲକ୍ଷ ୩୭ ହଜାର ଟଙ୍କା ଅମାନତ ଜମା କରିଥିଲେ। ଏହି ଟଙ୍କା ଫେରିପାଇବା ଲାଗି ଶ୍ରୀ ବେହେରା ଗତକାଲି ପୂର୍ତ୍ତ ବିଭାଗକୁ ଆସି ଅଧିକାରୀଙ୍କୁ ଦେଖା କରିବା ପରେ ସେ ଅଡିଟର କାମ କରୁଥିବା ପଦ୍ମନାଭ ସ୍ବାଇଁଙ୍କୁ ଦେଖା କରିବାକୁ କହିଥିଲେ। ଠିକାଦାର ଶ୍ରୀ ବେହେରା ତାଙ୍କୁ ଭେଟିବା ପରେ ଏଥିପାଇଁ ୧ ଲକ୍ଷ ୫ ହଜାର ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କହିଥିଲେ ଶ୍ରୀ ସ୍ବାଇଁ।
ଏ ନେଇ ଶ୍ରୀ ବେହେରା ଗୁରୁବାର ବାଲେଶ୍ବର ଭିଜିଲାନ୍ସ ଅଫିସକୁ ଯାଇ ଅଭିଯୋଗ କରିଥିଲେ। ଆଜି ଅପରାହ୍ନରେ ଶ୍ରୀ ସ୍ବାଇଁ ଲକ୍ଷେ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ଟେବୁଲରେ ଥିବା ସମସ୍ତ କାଗଜପତ୍ର ଓ କମ୍ପ୍ୟୁଟରକୁ ମଧ୍ୟ ଭିଜିଲାନ୍ସ ଜବତ କରି ଯାଞ୍ଚ କରୁଛି। ସବୁଠୁ ବଡ଼ କଥା ହେଲା, ଶ୍ରୀ ସ୍ବାଇଁ ଲାଞ୍ଚ ଟଙ୍କା ବିଭାଗର ପଦସ୍ଥ ଅଧିକାରୀଙ୍କ ପାଇଁ ନେଉଥିଲେ ବୋଲି ଜେରା ବେଳେ କହିଥିବା ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି। ତେଣୁ ବିଭାଗୀୟ ଅଧିକାରୀଙ୍କ ଇଙ୍ଗିତରେ ଏହି କାରବାର ଚାଲୁଥିବା ସ୍ପଷ୍ଟ ହୋଇଛି।
ଶ୍ରୀ ସ୍ବାଇଁ ପୂର୍ତ୍ତ ବିଭାଗରେ ପିଅନ ଭାବେ ନିଯୁକ୍ତି ପାଇଥିବା ବେଳେ ୧୯୯୬ ମସିହାରୁ ଅଡିଟର୍ ଭାବେ କାମ କରି ଆସୁଥିଲେ। ପ୍ରଥମେ ପୂର୍ତ୍ତ ବିଭାଗ-୧ ଓ ପରେ ପୂର୍ତ୍ତ ବିଭାଗ-୨ କାର୍ଯ୍ୟାଳୟକୁ ଆସିଥିବା କହିଛନ୍ତି। ତାଙ୍କ ନିକଟରେ ବିଭାଗର ଅଧିକାଂଶ ରେକର୍ଡପତ୍ର, ବିଲ୍, କାଗଜପତ୍ର ଆଦି ରହୁଥିଲା। ଯେଉଁମାନେ ବିଭିନ୍ନ କାମ ନେଇ ପୂର୍ତ୍ତ ବିଭାଗକୁ ଆସୁଥିଲେ ସେମାନେ ଶ୍ରୀ ସ୍ବାଇଁଙ୍କୁ ଆଜି ପର୍ଯ୍ୟନ୍ତ ଅଡିଟର୍ ଭାବେ ଜାଣିଥିଲେ। ତେଣୁ ଏସବୁ ଅଭିଯୋଗକୁ ଭିତ୍ତି କରି ତନାଘନା ଜାରି ରହିଛି। ଏ ନେଇ ନଂ.୨୫/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିବା ବାଲେଶ୍ବର ଭିଜିଲାନ୍ସ ଏସ୍ପି ନରହରି ନାୟକ କହିଛନ୍ତି।
The post ଅଡିଟର୍ ସାଜି ଲୁଟୁଥିଲେ, ଭିଜିଲାନ୍ସ ହାତରେ ଧରାପଡ଼ିଲେ first appeared on Sambad.from ଜିଲ୍ଲା | Sambad https://ift.tt/3ond05o
0 Comments