
କୋରାପୁଟ (ଶ୍ରୀକାନ୍ତ ସାହୁ): ଶୁକ୍ରବାର ଭିନ୍ନକ୍ଷମ ଦିବସ। ଭିନ୍ନକ୍ଷମଙ୍କୁ ବିକାଶ କରି ସେମାନଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ତେବେ ଜଣେ ଭିନ୍ନକ୍ଷମ ନିଜକୁ କିଭଳି ସକ୍ଷମ କରିପାରିଛନ୍ତ ତା’ର ଏକ ଉଦାହରଣ ସାମନାକୁ ଆସିଛି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକର କୋଲାବ ନଗରର ଦିଲ୍ଲୀପ କୁମାର ଚାର୍ଚ୍ଚି।
ଦିନ ଥିଲା କରାଟେରେ ମାହୀର ଥିଲେ ଦିଲ୍ଲୀପ। ଏକାଦଶ ଶ୍ରେଣୀରେ ପଢୁଥିବାବେଳେ କରାଟେରେ ଗ୍ରୀନ ବେଲ୍ଟ ପାଇଥିଲେ । ହେଲେ ବିଧିର ବିଧାନ ଅଲଗା ଥିଲା। ଜୀବିକାର ପାହାଚରେ ପାଦ ଦେଉ ଦେଉ ମସ୍କୁଲାର ଡିସଟ୍ରୋଫି ରୋଗ ତାଙ୍କୁ କବଳିତ କରିଥିଲା। ପୁରା ଶରୀର ଅଚଳ କରି ଦେଇଥିଲା। ବାସ୍! କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ଭିନ୍ନକ୍ଷମତାକୁ ଦୂରେଇ ଫିଙ୍ଗିବାର ପ୍ରୟାସ। ଶରୀର ଅଚଳ ହେଲେ ବି ଆଜି ସକ୍ଷମର ମୁକୁଟି ପିନ୍ଧିଛନ୍ତି ସେ। ନିଜ ପତ୍ନୀଙ୍କ ସହଯୋଗରେ ସେ ନିଜେ ଘରେ ଏକ ଗ୍ରାହକ ସେବା କେନ୍ଦ୍ର କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଭିନ୍ନକ୍ଷମତା ତାଙ୍କ ନିକଟରେ କିଭଳି ତାଙ୍କ ନିକଟରେ ହାର ମାନିଛି ତାହା ଦୁନିଆକୁ ଦେଖାଇଦେଇଛନ୍ତି।
ଦିଲ୍ଲୀପଙ୍କୁ ଏବେ ପ୍ରାୟ ୫୫ ଛୁଇଁଛି। ପରିବାର କହିଲେ ୩ ପୁଅ ଓ ସ୍ତ୍ରୀ ଅଛନ୍ତି। ଯେତେବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା ସେତେବେଳେ ଏକ ମାରାତ୍ମକ ରୋଗରେ ସେ ଆକ୍ରାନ୍ତ ହେଲେ, ଯାହାର ନାମ ମସ୍କୁଲାର ଡିସଟ୍ରୋଫି। କିଛି ଦିନ ଭିତରେ ଶରୀର ପଙ୍ଗୁ ହୋଇଗଲା। ହେଲେ ମନ ମରିଯାଇନଥିଲା। ତାଙ୍କ ମସ୍ତିଷ୍କ ବିଶିଷ୍ଟ ବୈଜ୍ଞାନିକ ଷ୍ଟିଫେନ ହାକିଂଙ୍କ ଭଳି କାମ କରୁଥିବାରୁ ସକ୍ଷମର ମୁଖ୍ୟସ୍ରୋତରେ ସାମିଲ କରିବାକୁ ତାଙ୍କ ପତ୍ନୀ ଜୟନ୍ତୀ ଅଣ୍ଟା ଭିଡିଥିଲେ।
ଏବେ ଦିଲ୍ଲୀପ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କୋଲାବ ନଗରର ଷ୍ଟେଟବ୍ୟାଙ୍କ କଡରେ ଏକ ଗ୍ରାହକ ସେବା କେନ୍ଦ୍ର କରି ଦୁଇ ପଇସା ରୋଜଗାର କରୁଛନ୍ତି,ପରିବାର ମଧ୍ୟ ଚଳାଉଛନ୍ତି । ପତ୍ନୀ ତାଙ୍କର ପଥ ପ୍ରଦର୍ଶକ ହୋଇଥିବା ବେଳେ ଦୁଇ ପୁଅ ତାଙ୍କର ଆଶା ବାଡି । ପ୍ରାୟ ୩୦ ବର୍ଷ ହେଲା ହୁଇଲ ଚେୟାରରେ ତାଙ୍କ ଜୀବନ ବିତୁଥିବାବେଳେ କାହା ଉପରେ ସାହାରା ହୋଇନାହାନ୍ତି ସେ। ସେହି କେନ୍ଦ୍ରରୁ ଯାହା ଅର୍ଥ ଉପାର୍ଜନ ହେଲା ସେଥିରେ ୬ ପ୍ରାଣୀ କୁଟୁମ୍ବ ଖୁସିରେ ଚଳୁଛନ୍ତି ବୋଲି କୁହନ୍ତି ଉକ୍ତ ଦମ୍ପତି। କୋଲାବ ନଗର ପରି ଅଞ୍ଚଳରେ ସେ ବ୍ୟାଙ୍କ ସେବା ସହ ଅନ୍ୟ ଅନଲାଇନ କାର୍ଯ୍ୟ ଅନ୍ୟ ପାଇଁ ଉଦାହରଣ ପାଲଟିଛି ।
ଦୃଢ ଇଚ୍ଛା ଶକ୍ତି ଥିଲେ ଯେ କୌଣସି ଅସମ୍ଭବ ସମ୍ଭବ ହୋଇଥାଏ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀପ । ବାପାଙ୍କ ଦେହାନ୍ତ ପରେ ଘରର ଭାର ତାଙ୍କ ମୁଣ୍ଡ ଉପରେ ଥିଲା । ଜୀବନ ଯୁଦ୍ଧର ବିପଦ ସମୟରେ ସେ ଯାହାର ହାତ ଧରି ସଂସାର ଗଢିଲେ ସେ ଆଜି ତାଙ୍କ ପାଇଁ ଦେବଦୂତ । ଦିଲ୍ଲୀପଙ୍କୁ ସବୁବେଳେ ଛାଇ ଭଳି ଜଗି ରହିଛନ୍ତି । ସ୍ୱାମୀଙ୍କ ଅକ୍ଷମତା ତାଙ୍କୁ କେବେ ବୋଝ ଭଳି ଲାଗିନି ବରଂ ନିଜର ସଂସାର ରଥର ସାରଥି ଭଳି ତାଙ୍କୁ ସହଯୋଗ କରି ଆସୁଛନ୍ତି । କୌଣସି କାରଣରୁ ଭିନ୍ନକ୍ଷମ ହେଲେ ବି ମନୋବଳ ଦୃଢ଼ କରି ସ୍ବାବଲମ୍ବନ ହେବାକୁ ସେ ଭିନ୍ନକ୍ଷମ ସମାଜକୁ ପରାମର୍ଶ ଦେଇଛନ୍ତି।
ଏହି ପରିବାରକୁ ଅନେକ ବର୍ଷ ହେବ ଜାଣିଥିବା ଶିବ ପ୍ରସାଦ ସେଠୀ କୁହନ୍ତି ଉକ୍ତ ଦମ୍ପତିଙ୍କ ମିଷ୍ଟଭାଷା ତାଙ୍କୁ ଲୋକପି୍ରୟ କରିପାରିଛି। ଏଥି ସହିତ ବାପା ମାଙ୍କ ଅଦ୍ୟମ ସାହାସ,ଏକାଗ୍ରତା ଓ ଦୁଇ ପୁଅଙ୍କ ଗ୍ରାହକ ସେବା ଅତ୍ୟନ୍ତ ସୃଜନଶୀଳ ବୋଲି ଶୁଭାକାଂକ୍ଷୀ ବିଷ୍ଣୁ ପ୍ରସାଦ ସେଠୀ କହିଛନ୍ତି । ଭିନ୍ନକ୍ଷମ ଦିବସରେ ଦିଲ୍ଲୀପଙ୍କ ସ୍ବାବଲମ୍ବନର ବାର୍ତ୍ତା ଦିବ୍ୟାଙ୍ଗ ସମାଜକୁ ଏକ ନୂତନ ଦିଗଦର୍ଶନ ଦେବ ଏଥିରେ ସନ୍ଦେହ ନାହିଁ।
The post ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ: ଶରୀର ଅଚଳ ତଥାପି ଦିଲ୍ଲୀପ ସକ୍ଷମ first appeared on Sambad.from ଜିଲ୍ଲା | Sambad https://ift.tt/3IbxBRU
0 Comments