ଧର୍ମଶାଳା : ଛାତ ଉପରୁ ଖସିପଡ଼ି ଧର୍ମଶାଳା ବ୍ଲକ ଥାନୁଆଳ ପଞ୍ଚାୟତ କଣ୍ଟାମାଳିଆ ଗ୍ରାମର ଯୁବ କ୍ରିକେଟର ଜିତେନ୍ଦ୍ର କୁମାର ଜେନା(୩୨)ଙ୍କର ମୃତ୍ୟୁ ଘଟିଛି। ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ବରଯାତ୍ରୀ ହୋଇ ବୁଧବାର ରାତିରେ ସେ ବଡ଼ଚଣା ବ୍ଲକ କୂଳହରିପୁର ଗାଁକୁ ଯାଇଥିଲେ। ଭୋଜି ଖାଇସାରି ହାତ ଧୋଉଥିବା ବେଳେ ଭାରସାମ୍ୟ ହରାଇ ସେ ଛାତ ଉପରୁ ହଠାତ୍ ତଳକୁ ଖସି ପଡ଼ିଥିଲେ। ତାଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଯାଇଛି।

ଏ ଖବର ଜଣାପଡ଼ିବା ପରେ ଥାନୁଆଳ ସମେତ ଧର୍ମଶାଳା ଅ‌ଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ବର୍ଗତ ପ୍ରସନ୍ନ କୁମାର ଜେନାଙ୍କ ସାନପୁଅ ଜିତେନ୍ଦ୍ର ଜଣେ ଆଗଧାଡ଼ିର କ୍ରିକେଟ ଖେଳାଳି ଭାବେ ସମଗ୍ର ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବହୁ ମ୍ୟାଚ୍‌ରେ ସେ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଆସନ୍ତାକାଲି ମରଶରୀର ଗାଁରେ ପହଞ୍ଚିବା ପରେ ଶେଷକୃତ୍ୟ ହେବ ବୋଲି ଜଣାଯାଇଛି।

The post ଛାତ ଉପରୁ ଖସି ଯୁବ କ୍ରିକେଟରଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3EmvkRI