
ପୁରୀ : ଚଳିତବର୍ଷ କରୋନା ମହାମାରୀ ଦୁର୍ଗାପୂଜାର ଚମକ ଛଡ଼ାଇ ନେଇଛି। ପ୍ରତିବର୍ଷର ଉତ୍ସବମୁଖର ପରିବେଶକୁ ଫିକା ପକାଇ ଦେଇଛି। ତଥାପି ପରମ୍ପରା ରକ୍ଷାପୂର୍ବକ ସବୁ ପୀଠ ଦେବୀଙ୍କଠାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ପୂଜା ପାଉଛି। ଏହାବାଦ ସାହି ଗଳିକନ୍ଦିରେ ବି ଦୁର୍ଗାମୂର୍ତ୍ତି ପୂଜା ପାଉଛନ୍ତି। କିନ୍ତୁ କେଉଁଠି ବି ପ୍ରତିବର୍ଷ ଗହଳିଚହଳି ଦେଖିବାକୁ ମିଳିନି। ନିରାଡ଼ମ୍ବର ପରିବେଶ ଭିତରେ ମା’ ଶୋଭା ପାଉଛନ୍ତି। କିନ୍ତୁ ଦୁର୍ଗାମେଢ଼କୁ ନେଇ ଯେଉଁ ପ୍ରତିଯୋଗିତା ଦେଖିବାକୁ ମିଳୁଥିଲା, ତାହା ଦେଖିବାକୁ ମିଳିନି।

ଶ୍ରୀକ୍ଷେତ୍ରର ସବୁଠୁ ବଡ଼ ଦୁର୍ଗା ମେଢ଼ କହିଲେ ବାରବାଟୀ ଜାଗାକୁ ବୁଝାଏ। ଏଠାରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଥିବାବେଳେ ବୈଦିକ ରୀତିରେ ଚଣ୍ଡୀପାଠ, ଯଜ୍ଞାଦି କାର୍ଯ୍ୟ ଚାଲିଛି। ଦୋଳମଣ୍ଡପ ସାହିର ଜହ୍ନିମୁଣ୍ଡିଆ ଛକ ଦୁର୍ଗାମେଢ଼ ବି ଶ୍ରୀକ୍ଷେତ୍ର ଅନ୍ୟ ଏକ ବଡ଼ ମେଢ଼। ଏଠାରେ ବି ମା’ଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି। ସେହିଭଳି ମାଟିମଣ୍ଡପ ସାହିର ଶୂନ୍ୟଗୋଷାଣୀ, ଗୁଡ଼ିଆସାହିର ଜାମକୋଟ, ଭୋଗଜାଗାର ହରଚଣ୍ଡୀ, ବିମାନବଡ଼ୁ ସାହିର ବନଦୁର୍ଗା, ବାସେଳିସାହିର ପଣାପ୍ରିୟା, ମହାସୁଆର ସାହିର ହରଚଣ୍ଡୀ, ମାଟିମଣ୍ଡପ ସାହିର ମହାଦେବ, ହରଚଣ୍ଡୀ ସାହିର ମହନ୍ତେଶ୍ବରୀଙ୍କ ପୀଠରେ ଦୁର୍ଗାପୂଜା ପାଳନ ହେଉଛି। ପୂଜାକାର୍ଯ୍ୟ ରୀତିନୀତି ଅନୁଯାୟୀ ଚାଲିଛି। କିନ୍ତୁ ସବୁଠି ଖାଁ ଖାଁ ପରିବେଶ। କରୋନା କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ବାଡ଼ ଠିଆ କରିଛି। କାଁ ଭାଁ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳିଛି।
The post କରୋନା ଛଡେଇନେଲା ପୂଜା ଚମକ, ପୀଠ ଦେବୀଙ୍କଠାରେ ନାହିଁ ଗହଳଚହଳ first appeared on Sambad.
from ଜିଲ୍ଲା – Sambad https://ift.tt/35vs4TP
0 Comments