କଣ୍ଟାପଡ଼ା: ଓଲଟପୁର ଥାନା ଅଧୀନ ଅଡ଼ଶପୁର ବଜାର ତ୍ରିଛକିରେ ଓଲଟପୁର ପୁଲିସ୍‌ ମାସ୍କ ଯାଞ୍ଚ କରୁଥିବା ବେଳେ ପୁଲିସ ଜଣେ ମହିଳାଙ୍କୁ ମାଡ଼ ମାରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ଆକ୍ରମଣ କରିବା ସହ ରାସ୍ତାରୋକ କରିଥିଲେ। ଉକ୍ତ ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିବାରୁ ଆଜି ପୁଣି ଉତ୍ତେଜନା ପ୍ରକାଶ ପାଇଛି।

ଗତ ରାତିରେ ଓଲଟପୁର ଥାନା ପୁଲିସ୍‌ ଓ ଗୋବିନ୍ଦପୁର ଥାନା ପୁଲିସ ସେଦିନ ଗଣ୍ତଗୋଳ କରିଥିବା ଅଭିଯୋଗରେ କାଳିଆଗଡ଼ ଗ୍ରାମର ଜ୍ୟୋତିରଞ୍ଜନ ସେଠୀ, ପ୍ରଶାନ୍ତ କୁମାର ପାତ୍ର, ବିଶ୍ବଜିତ ପାତ୍ର, ପୃଥ୍ବୀରାଜ ପାତ୍ର, ରମାକାନ୍ତ ପାତ୍ରଙ୍କୁ ଗିରଫ କରି ଆଜି ସକାଳେ କୋର୍ଟ ଚାଲାଣ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ପୁଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। କାଳିଆଗଡ ଗ୍ରାମରେ ମଧ୍ୟ ଉତ୍ତେଜନା ଦେଖା ଦେଇଛି। ଏହି ଗିରଫ ନେଇ ଉରାଢ଼ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧି ଏସ୍‌ଡିପିଓଙ୍କ ଅଫିସ୍‌ରେ ପହଞ୍ଚି ଏଭଳି ବେଆଇନ ଗିରଫ ନ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ମାସ୍କ୍‌ ଯାଞ୍ଚ ଚାଲିଥିବା ଦିନ ଉକ୍ତ ରାସ୍ତାରେ ଉରାଢ ପଞ୍ଚାୟତ କାଳିଆଗଡ଼ ଗ୍ରାମର କୁନିଲତା ସେଠୀ ନିଜର ୬ବର୍ଷର ପିଲାକୁ ନେଇ ଚିକିତ୍ସା ପାଇଁ ଅଡ଼ଶପୁର ମେଡିକାଲକୁ ଯାଉଥିଲେ। ପୁଲିସ ତାଙ୍କୁ ଅଟକାଇ ୨୦୦ ଟଙ୍କା ଜରିମାନା କରିଥିଲା। ପାଖରେ ଟଙ୍କା ନଥିବାରୁ କୁନିଲତା ନିଜ ମୋବାଇଲ ବନ୍ଧକ ରଖିବା ପାଇଁ ପୁଲିସକୁ କହିଥିଲେ। ଏହି ସମୟରେ ନିକଟରେ ଥିବା ଥାନା ଡ୍ରାଇଭର ଝରେନ୍ଦ୍ର କୁମାର ଭୋଇ ଉକ୍ତ ମହିଳାଙ୍କୁ ବାଡ଼ିରେ ପିଟିଥିଲେ।

ସାଥିରେ ଥିବା ମହିଳାଙ୍କ ସ୍ବାମୀ ଏଥିରେ ଆପତ୍ତି କରିବାରୁ ପୁଲିସ ତାଙ୍କୁ ନେଇ ଗାଡ଼ିରେ ବସାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ପୁଲିସ ଗାଡ଼ିକୁ ଘେରାଉ କରି ରଖିବା ସହ ଗାଡ଼ିକୁ ଧକ୍କା ମାରିଥିଲେ। ସେମାନେ ଫୁଲନଖରା-ନିଆଳି ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ସ୍ଥାନୀୟ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ପ୍ରକାର କଥା ବୁଝାସୁଝା କରି ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

The post ମାସ୍କ୍‌ ଯାଞ୍ଚ ବେଳେ ମହିଳାଙ୍କୁ ପୁଲିସ୍‌ର ମାଡ଼ ଘଟଣା: ୫ଜଣଙ୍କୁ ଗିରଫ ନେଇ ପୁଣି ଅଡ଼ଶପୁରରେ ଉତ୍ତେଜନା first appeared on Sambad.



from ଜିଲ୍ଲା – Sambad https://ift.tt/33YChbT