
କଟକ: କଟକ ବଡ଼ ମେଡିକାଲ୍ରେ ଛୋଟ ଛୋଟ ପରୀକ୍ଷା ଲାଗି ରୋଗୀଙ୍କୁ ମାସମାସ ଧରି ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଛି। ଫଳରେ ଜଣେ ରୋଗୀକୁ ପରୋକ୍ଷ ଭାବେ ଘରୋଇ ନିଦାନ କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ କରାଯାଉଛି। ପରୀକ୍ଷାରୁ ବଞ୍ଚିତ ହେଉଥିବା ରୋଗୀଙ୍କର ରୋଗ ଦ୍ବିଗୁଣ ହୋଇଯାଉଛି। ସରକାର ନିଦାନ ଯୋଜନାରେ ବିଭିନ୍ନ ପରୀକ୍ଷା ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଥିଲେ ବି ତାହା କେତେ ଦୂର କାର୍ଯ୍ୟ କରୁଛି ତାହାକୁ କେହି ତଦାରଖ କରୁ ନାହାନ୍ତି। ଫଳରେ ଛୋଟରୁ ଛୋଟ ପରୀକ୍ଷାଗୁଡିକ କରିବା ଲାଗି କର୍ମଚାରୀ ମାନେ ୩ରୁ ୬ ମାସ ପର୍ଯ୍ୟନ୍ତ ସମୟ ଦେଉଛନ୍ତି।
ଅଭିଯୋଗ ଅନୁଯାୟୀ, ଏସସିବିରେ ଇଇଜି ପରୀକ୍ଷା ଲାଗି ଜଣେ ରୋଗୀଙ୍କୁ ୩ ମାସ ସମୟ ଦିଆଯାଉଛି। ଏହି ପରୀକ୍ଷା କେନ୍ଦ୍ର ଜଣେ ଟେକନିସିଆନଙ୍କ ଭରସାରେ ଚାଲିଛି। ଫଳରେ ବହୁତ କମ୍ ରୋଗୀଙ୍କୁ ପରୀକ୍ଷା କରାଯାଉଥିବା ବେଳେ ଅନ୍ୟମାନଙ୍କୁ ତାରିଖ ଦିଆଯାଉଛି। ସେହିପରି ଏନସିଏସ (ନର୍ଭ କନଷ୍ଟ୍ରକସନ୍ ଷ୍ଟଡି) ପରୀକ୍ଷା ଲାଗି ୬ମାସ ଲାଗି ଅପେକ୍ଷା କରିବାକୁ ପଡୁଛି।
ଏଠାରେ ମଧ୍ୟ ଜଣେ ଟେକନିସିଆନଙ୍କ ଭରସାରେ ପରୀକ୍ଷା କରାଯାଉଛି। ଡପ୍ଲର ପରୀକ୍ଷା ଲାଗି ରୋଗୀଙ୍କୁ ୪ମାସ, ଥୋରାକ୍ସ ପରୀକ୍ଷା ପାଇଁ ୨ ମାସ, ଏଣ୍ଡୋସ୍କୋପି ପାଇଁ ୧ ମାସ, ଇସିଜି ପାଇଁ ବିଭିନ୍ନ ୱାର୍ଡରୁ ଗୁରୁତର ରୋଗୀଙ୍କୁ ହୃଦରୋଗ ବିଭାଗକୁ ଯିବାକୁ ପଡ଼ୁଥିବାବେଳେ ବର୍ହିବିଭାଗରେ ଇସିଜି ଲାଗି ରୋଗୀଙ୍କୁ ୪ରୁ ୫ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ସାଧାରଣ ଅଲଟ୍ରାସାଉଣ୍ତ ଲାଗି ୧ ମାସ ଅପେକ୍ଷା କରିବାକୁ ପଡ଼ୁଥିବାବେଳେ ହେପାଟାଇଟିସ୍ ବି ପଜିଟିଭ ରୋଗୀଙ୍କ ଏଲିସା ପରୀକ୍ଷା ଏପର୍ଯ୍ୟନ୍ତ ଏସ୍ସିବିରେ ଆରମ୍ଭ ହୋଇ ପାରିନାହିଁ। ପିଟିଏ ପରୀକ୍ଷା ପାଇଁ ୧ ମାସ, ଇକୋ ପାଇଁ ୨ ମାସ ପର୍ଯ୍ୟନ୍ତ ରୋଗୀଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି।
ଅନ୍ୟପକ୍ଷରେ ବିଭିନ୍ନ ବିଭାଗରେ ଶଯ୍ୟା ନିକଟରେ ଇସିଜି ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ। ଅନେକ ବିଭାଗରେ ରୋଗୀକୁ ନିବୁଲାଇଜ ଆବଶ୍ୟକ ପଡ଼ିଲେ ବାହାରୁ ଭଡ଼ାରେ ଆଣି ରୋଗୀଙ୍କୁ ସେମାନଙ୍କ ସମ୍ପର୍କୀୟ ଦେଉଛନ୍ତି। ୨୦୧୭ ମସିହାରୁ ନୂତନ ମାନସିକ ସ୍ବାସ୍ଥ୍ୟ ଆଇନ ଆସିବା ଦିନଠାରୁ ମାନସିକ ରୋଗ ବିଭାଗରେ ରୋଗୀକୁ ୪ ବର୍ଷ ହେବ ଇସିଟି ଦିଆଯାଉ ନାହିଁ। ଯେଉଁ ମେସିନଗୁଡ଼ିକ ଚାଲୁଛି ବିଭିନ୍ନ ସମୟରେ ସେଗୁଡ଼ିକ ଅଚଳ ହୋଇ ପଡ଼ି ରହୁଛି। ସେଗୁଡିକ ଠିକ୍ ସମୟରେ ମରାମତି କରାଯାଉ ନାହିଁ। ଫଳରେ ରୋଗୀମାନେ ବାହାର କେନ୍ଦ୍ରକୁ ଯାଇ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ତେବେ ବାରାମ୍ବାର ଏଭଳି ହେଉଥିବା ଦେଖି ସାମାଜିକ ସଂଗଠନ ସେବାଘର ସମ୍ପାଦକ ଅଚ୍ୟୁତ କୁମାର ସାହୁ ଓ ଦୀପକ କୁମାର ଆଚାର୍ଯ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସ୍ବାସ୍ଥ୍ୟ ସଚିବ, ୫-ଟି ସଚିବ, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ, ଜିଲ୍ଲାପାଳ, ଏସସିବି ଅଧୀକ୍ଷକ, ଆରକ୍ଷୀ ଉପାୟୁକ୍ତ, ମଙ୍ଗଳାବାଗ ଆଇଆଇସିଙ୍କୁ ନିକଟରେ ଉକ୍ତ ଦୁଇ ସାମାଜିକ କର୍ମୀ ଦାବି ଜଣାଇଛନ୍ତି।
ଅଭିଯୋଗକାରୀଙ୍କ କହିବାନୁସାରେ, ରୋଗୀଟିଏ ଆସିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା କରିବାକୁ ଯାଉଛନ୍ତି। ପରୀକ୍ଷା କେନ୍ଦ୍ରକୁ ଯିବା ମାତ୍ରେ ମାସ ମାସ ଧରି ସମୟ ଦେବା ସହିତ ମେସିନ ଖରାପ କହି ସେଠାରୁ ଫେରାଇ ଦେଉଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଯଦି ସଠିକ ସମୟରେ ଜଣେ ରୋଗୀଟିର ପରୀକ୍ଷା କରାଯାଏ ତାହେଲେ ରୋଗ ବିଷୟରେ ସହଜରେ ଜଣାପଡ଼ିଯାଏ। ହେଲେ ମାସମାସ ଧରି ଅପେକ୍ଷା କରାଯିବା ଭଳି ସମସ୍ୟକୁ ଶୀଘ୍ର ସାମଧାନ କରାଯିବା ଆବଶ୍ୟକ ରହିଛି।
ରୋଗୀଙ୍କ ଉନ୍ନତ ଚିକିତ୍ସା ଲାଗି ପ୍ରତ୍ୟେକ ବିଭାଗର ଆବଶ୍ୟକ ଥିବା ପରୀକ୍ଷା ନିରୀକ୍ଷା ମେସିନ, ଟେକନିସିଆନ, ଡାକ୍ତର, କର୍ମଚାରୀଙ୍କୁ ନିୟୋଜିତ କରାଗଲେ ଗରିବ ରୋଗୀଟିଏ ଉପକୃତ ହେବ। ଉପରୋକ୍ତ ସମସ୍ୟା ଯଦି ୧ ମାସ ମଧ୍ୟରେ ପୂରଣ ନହୁଏ, ତାହେଲେ ମେଡିକାଲ୍ ସମ୍ମୁଖରେ ସାମାଜିକ କର୍ମୀମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦିଆଯାଇଛି।
The post ରୋଗ ପରୀକ୍ଷା ପାଇଁ ମାସମାସ ପର୍ଯ୍ୟନ୍ତ ସମୟ ଦେଉଛି ଏସସିବି, ହନ୍ତସନ୍ତ ହେଉଛନ୍ତି ରୋଗୀ first appeared on Sambad.
from ଜିଲ୍ଲା – Sambad https://ift.tt/3nNpMYr
0 Comments