
କଟକ: କଟକ ବଡ଼ ଡାକ୍ତରଖାନାର ବହୁ ପ୍ରତୀକ୍ଷିତ କଟକ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ହସ୍ପିଟାଲରେ ୮୦ଟି ଆଇସିୟୁ ବେଡ୍ର ବ୍ୟବସ୍ଥା ରହିଥିବାବେଳେ ଏସ୍ସିବି ନ୍ୟୁ ମେଡିସିନ ୱାର୍ଡରେ ୨୦୦ବେଡ୍, ଆଇସୋଲେସନ ୱାର୍ଡରେ ୨୭୦ ବେଡ୍, ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ୩୦ ବେଡ୍, ଗୋଟିଏ ଓଟି ଓ ୧୦ଟି ଲେବର ଟେବୁଲ ବ୍ୟବସ୍ଥା ରହିଛି।
ଆର୍ଡିସି ଅନିଲ କୁମାର ସାମଲ ୫୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଲକୁ ଉଦ୍ଘାଟନ କରିଥିବାବେଳେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନନ୍ୟା ଦାସ, ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଦାୟିତ୍ୱରେ ଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ମେଡିସିନ ବିଭାଗ ମୁଖ୍ୟ ତଥା କୋଭିଡ ହସ୍ପିଟାଲ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ସମେତ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟପଟେ, ଦାୟିତ୍ୱରେ ଥିବା ଅତିରିକ୍ତ ଡିଏମ୍ଇଟି ଡାକ୍ତର ଉମାକାନ୍ତ ଶତପଥୀ ଓ ଅତିରିକ୍ତ ଡିଏମ୍ଇଟି ଡାକ୍ତର ବ୍ରଜ ଦାସ ଏସ୍ସିବିରେ ପହଞ୍ଚି କିପରି ଆକ୍ରାନ୍ତଙ୍କ ଚିକିତ୍ସା, ଗୁରୁତରଙ୍କୁ ସ୍ଥାନାନ୍ତରଣ, ଅସ୍ତ୍ରୋପଚାର ତଥା ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଡିନ୍ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବା ସହ ସହ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ଆଜି ଉଦ୍ଘାଟିତ ଏସ୍ସିବି କୋଭିଡ୍ ହସ୍ପିଟାଲରେ ୮୦ଟି ଆଇସିୟୁ ବେଡ୍ର ବ୍ୟବସ୍ଥା ରହିଛି। ଏଥିସହିତ, ଏସ୍ସିବି ନ୍ୟୁ ମେଡିସିନ ୱାର୍ଡରେ ୨୦୦ବେଡ୍, ଆଇସୋଲେସନ ୱାର୍ଡରେ ୨୭୦ ବେଡ୍, ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗରେ ୩୦ ବେଡ୍, ଗୋଟିଏ ଓଟି ଓ ୧୦ଟି ଲେବର ଟେବୁଲ ବ୍ୟବସ୍ଥା ରହିଥିବାବେଳେ ସର୍ଜରି ବିଭାଗରେ କୋଭିଡ ଓଟିର ବ୍ୟବସ୍ଥା କରାଯିବ ବୋଲି ଏସ୍ସିବି କୋଭିଡ ହସ୍ପିଟାଲ ନୋଡାଲ ଅଫିସର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପଟେ ଆଇସୋଲେସନ ୱାର୍ଡକୁ କୋଭିଡ ହସ୍ପିଟାଲରେ ରୂପାନ୍ତରିତ କରାଯାଇଥିବାବେଳେ ଗୋଟିଏ ଫ୍ଲୋରର ୮୦ଟି ବେଡ୍ ସନ୍ଦିଗ୍ଧଙ୍କ ପାଇଁ ବା ଆଇସୋଲେସନ ପାଇଁ ରଖାଯିବ। ମାସକୁ ୨୦୦ଜଣ ଡାକ୍ତର କୋଭିଡ ହସ୍ପିଟାଲ ଦାୟିତ୍ୱରେ ରହିବେ, ଯେଉଁମାନେ ଦିନକୁ ୮ ଘଣ୍ଟା ଡ୍ୟୁଟି କରିବେ। ଆଜି ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ଶହେ ଜଣ ଓ ଆଇସିୟୁରେ ୩୭ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରଠାରୁ ଅର୍ଥାତ ଉଦ୍ଘାଟନ ପୂର୍ବରୁ ଉକ୍ତ ହସ୍ପିଟାଲର ଗୁରୁତର ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯାଉଥିଲା। ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର, ରୁମାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବିଦ୍ୟୁତ ଦାସ, ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର, ନ୍ୟୁରୋସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ହସ୍ପିଟାଲ ମ୍ୟାନେଜର ସୋମ୍ୟା ମହାନ୍ତି, ସାହୁ, ବିରଞ୍ଚି ସାହୁଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ, ଷ୍ଟାଫ ନର୍ସ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଯାଇଥିବା ପିଜି ଡାକ୍ତରଙ୍କୁ ଫେରାଇ ଆଣିବାକୁ ଯୋଜନା ହୋଇଛି। ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ବିଭିନ୍ନ ଜିଲ୍ଲାକୁ ଯାଇଥିବା ପିଜି ଓ ସିନିୟର ରେସିଡେଣ୍ଟ ଡାକ୍ତରଙ୍କୁ ଏସ୍ସିବି ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
The post ଏସ୍ସିବିରେ ୫୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ, କୋଭିଡ ହସ୍ପିଟାଲ୍ରେ ମିଶିଲା ଆଇସୋଲେସନ ୱାର୍ଡ first appeared on Sambad.
from ଜିଲ୍ଲା – Sambad https://ift.tt/3mq9svh
0 Comments