କେନ୍ଦ୍ରାପଡ଼ା : ଗୋବରୀ ନଈରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଆଜି ଏଭଳି ଏକ ଅଭାବନୀୟ ଘଟଣା ପଟ୍ଟାମୁଣ୍ତାଇ ବ୍ଲକ୍‌ ଡିହାପଡ଼ା ପ˚ଚାୟତ କୁପୁଣୀ ପୋଲ ତଳେ ଦେଖିବାକୁ ମିଳିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି କୁପୁଣି ଗାଁର ନିତ୍ୟାନନ୍ଦ ସେନାପତିଙ୍କ ପୁଅ ଶିବାନନ୍ଦ ସେନାପତି(୩୦)।

ସୂଚନାନୁଯାୟୀ, ନିଖୋଜ ଶିବଶଙ୍କର ଗୁଜୁରାଟରେ ରହି କାମ କରୁଥିଲେ। ଲକଡାଉନ୍‌ ଯୋଗୁ ସେ ଘରକୁ ପଳାଇ ଆସିଥିଲେ। ଆଜି ଦିନ ପ୍ରାୟ ୧ଟା ବେଳେ ସେ ନଈକୁ ଗାଧେଇବାକୁ ଯାଉଥିଲେ। ସେ ଜେନାସାହି ପଟରେ ଗାଧୋଉଥିବା ବେଳେ ଅପରପାର୍ଶ୍ବ କୁପୁଣି ଘାଟରେ ବି କିଛି ଲୋକ ଗାଧୋଉଥିଲେ। ଏଭଳି ସ୍ଥିତିରେ ଶିବଶଙ୍କର ଜେନାସାହି ପଟୁ ପହଁରି କୁପୁଣି ଘାଟ ପଟକୁ ଚାଲି ଆସିଥିଲେ। ଏହାପରେ ପୁଣି ସେପଟକୁ ପହଁରି ଯାଉଥିବାବେଳେ ମଝି ନଈରେ ହଠାତ୍‌ ବୁଡ଼ି ଯାଇଥିଲେ। ଗାଧୋଉଥିବା ଅନ୍ୟ ଲୋକମାନେ ଏହା ଦେଖିବା ପରେ ଏକ ହୁଲି ଡଙ୍ଗାରେ ଯାଇ ଶିବାନନ୍ଦଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେଠାରେ ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ପାଇଥିଲେ। ଶିବଶଙ୍କରଙ୍କ କୌଣସି ପତ୍ତା ମିଳିନବାରୁ କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧ୍ୟା ଯାଏ ଖୋଜାଖୋଜି କରିଥିଲେ ହେଁ, ନିଖୋଜ ଶିବାନନ୍ଦଙ୍କ କୌଣସି ପତ୍ତା ମିଳିନାହିଁ।

କେନ୍ଦ୍ରାପଡ଼ା ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁ କହିଛନ୍ତି ଯେ ଖୋଜିଲା ବେଳେ ସେଠାରେ ଏକ କୁମ୍ଭୀର ଭାସୁଥିବା ବିଭାଗର କର୍ମଚାରୀ ଦେଖିଛନ୍ତି। କିନ୍ତୁ ତାଙ୍କୁ କୁମ୍ଭୀର ଟାଣି ନେଇଛି କି’ ସେ ବୁଡ଼ି ଯାଇଛନ୍ତି, ତାହା କହିହେବ ନାହିଁ।

The post କେନ୍ଦ୍ରାପଡ଼ା : ଗୋବରୀରେ ଯୁବକଙ୍କୁ ଟାଣିନେଲା କୁମ୍ଭୀର first appeared on Sambad.



from ଜିଲ୍ଲା – Sambad https://ift.tt/3jWMtaf