ଭଦ୍ରକ/ଧାମନଗର :  ଭଦ୍ରକ ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣବାଡ଼ ଗ୍ରାମର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ମାମଲାରେ ପୁଲିସ ତିନିଜଣ ଯୁବକଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି । ସେମାନେ ନିକଟସ୍ଥ ଏକ ଗ୍ରାମର ବୋଲି ଜଣାପଡ଼ିଛି ।

ଏହି ହତ୍ୟାକାଣ୍ଡକୁ ନେଇ ମୃତ ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ଏଫଆଇଆର ଦିଆଯାଇନଥିବାବେଳେ ପୁଲିସ ନିଜଆଡୁ ଏକ ଏଫଆଇଆର ଦାଏର କରି ତଦନ୍ତ ଚଳାଇଛି । ଗତ ରାତି ସାଢେ ୨ଟା ସମୟରେ ଭଦ୍ରକ ଏସଡିପିଓ ସିଦ୍ଧାର୍ଥ ରାୟଙ୍କ ନେତୃତ୍ବରେ ଭଦ୍ରକ ପୁଲିସ, ଧାମନଗର ପୁଲିସ ଓ ଧୁଷୁରୀ ପୁଲିସ ସଂପୃକ୍ତ ଯୁବକମାନଙ୍କର ଫୋନ ଟ୍ରାକିଂ କରି ସେମାନଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍‌ଣ ପ୍ରାୟ ସାଢେ ତିନିଟା ସମୟରେ ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଫାଟକ ନିକଟରେ ଦକ୍ଷିଣବାଡ ଗ୍ରାମର ସ୍ବର୍ଗତ ତ୍ରିଲୋଚନ ପଣ୍ତାଙ୍କ ପୁଅ ସତ୍ୟଜିତ ପଣ୍ତା (୨୩)ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗ ଗାଡ଼ିରେ ସତ୍ୟଜିତଙ୍କୁ ପ୍ରଥମେ ଧାମନଗର ଡାକ୍ତରଖାନା ଏବଂ ସେଠାରୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସତ୍ୟଜିତ ଶେଷନିଶ୍ବାସ ତ୍ୟାଗ କରିଥିଲେ।

ପୂର୍ବ ଶତ୍ରୁତାରୁ ଏହି ଯୁବକମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି ।

 

The post ଧାମନଗର :  ସତ୍ୟଜିତ ପଣ୍ଡା ହତ୍ୟା ଘଟଣାରେ ୩ ଯୁବକ ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3edhi8x