ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ମୃତଦେହ ୧୭ ଦିନ ପରେ ଠାବ ହୋଇଛି। ଦେଓଗାଁ ଓ ପାଟଣାଗଡ଼ ଥାନା ସୀମାରେ ଥିବା ମୁଦଘାଟ- ଚିପାକାନୀ ଜଙ୍ଗଲରେ ଶବ ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଏକ ବାଇକ୍‌ ମଧ୍ୟ ଥିବା ଦେଖିବାକୁ ମିଳିଛି। ଦେଓଗାଁ ପୁଲିସ ଓ ଗଜାନନଙ୍କ ପରିବାର ଲୋକ ଘଟଣାସ୍ଥଳକୁ ଯାଇ ମୃତଦେହଟି ନିଖୋଜ ଗଜାନନଙ୍କର ବୋଲି ଚିହ୍ନଟ କରିଛନ୍ତି।

ସୂଚନାଯୋଗ୍ୟ, ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ୫ ତାରିଖ ଶୁକ୍ରବାର ସକାଳୁ ଘରୁ ବାହାରି ଆଉ ଫେରି ନଥିଲେ। ସେ ତାଙ୍କ ମା’ଙ୍କୁ ପାଟଣାଗଡ଼ ଯାଉଥିବା କହିଥିଲେ। ଖୋଜା ଖୋଜି କରି ନପାଇବାରୁ ୬ ତାରିଖ ଦେଓଗାଁ ଥାନାରେ ତାଙ୍କ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ। ତାଙ୍କ ପରିବାର ଲୋକଙ୍କ ସହ ଦେଓଗାଁ ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ଖୋଜିଥିଲା। ହେଲେ କୌଣସି ପତ୍ତା ମିଳି ନଥିଲା। ୯ ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନଙ୍କ ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶିର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ।

ସୁନା ବେପାରୀ ନିଖୋଜ ଘଟଣାରେ ଗୁପ୍ତଧନ (ହଣ୍ଡା)ର କାରବାର ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଗତ ୧୦ ତାରିଖ ଦିନ ଗୋଟିଏ କୂଅ ଭିତରେ ଏକ ମୃତଦେହ ପଡ଼ିଥିବା ସୂଚନା ପାଇ ଦମକଳ ବାହିନୀ ପମ୍ପ ସାହାଯ୍ୟରେ କୂଅର ପାଣି ଶୁଖାଇଥିଲେ। ହେଲେ ସେଠାରେ ବି କିଛି ମିଳି ନଥିଲା।

 

The post ୧୭ ଦିନ ପରେ ନିଖୋଜ ସୁନା ବ୍ୟବସାୟୀଙ୍କ ମୃତଦେହ ଠାବ, ଗୁପ୍ତଧନ ପାଇଁ ହତ୍ୟା ସନ୍ଦେହ first appeared on Sambad.



from ଜିଲ୍ଲା – Sambad https://ift.tt/3pVyrJc