ଚନ୍ଦାହାଣ୍ଡି: ସୋମବାର ସକାଳେ ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍‌ର ଝରାବାହାଲ ଗ୍ରାମରେ ଥିବା ଏକ ଘର ଭିତରକୁ ପଶିଯିବାରୁ ଜଣେ ବୃଦ୍ଧ ଏବଂ ଚାରିଜଣ ଶିଶୁଙ୍କ ସମେତ ଛଅଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସବୁ ଥର ଭଳି ଆଜି ମଧ୍ୟ ଝରାବାହାଲ ଗ୍ରାମର ଦୁଷ୍ମନ୍ତ ଜଗତ ସେହି ପିକ୍‌-ଅପ୍‌ ଭ୍ୟାନ୍‌ରେ ଆଳୁ, ପିଆଜ, ଲଙ୍କା ଓ ହଳଦୀ ଆଦି ବୋଝେଇ କରି ହାଟକୁ ବାହାରିଥିଲେ। ଗାଁ ଭିତରେ ଚାଲୁଥିବା ବେଳେ ଗାଡ଼ିଟି କୌଣସି କାରଣରୁ ଜଗତଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ରାସ୍ତାକଡ଼ ଡ୍ରେନ୍‌ ଟପି ଅଳ୍ପ ଦୂରରେ ଥିବା ଏକ ଘର ଭିତରକୁ ପଶିଯାଇଥିଲା।

ସେହି ଘରର ବାରନ୍ଦା ପାଖରେ ଥିବା ଚଉଁରା ପାଖରେ ବସି ନିଆଁ ପୋଉଁଥିବା ୧୦ ବର୍ଷିୟ ସଚିନ ଗୋପାଳ, ୯ ବର୍ଷିୟ ସତୀକାନ୍ତ ଗୋପାଳ, ୭ ବର୍ଷୀୟ ନନ୍ଦିନୀ ଗୋପାଳ, ୨୭ ବର୍ଷିୟ ମନୀଷା ଗୋପାଳ ଏବଂ ସେ ଗାଁକୁ ଆସିଥିବା ୬୦ ବର୍ଷୀୟ ଡମ୍ବରୁଧର ହାତୀ ଏହି ଗାଡ଼ି ଧକ୍କାରେ ଆହତ ହୋଇଥିଲେ।

ଚିକିତ୍ସା ନିମନ୍ତେ ଆହତମାନଙ୍କୁ ତୁରନ୍ତ ନିକଟବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନଙ୍କ ମଧ୍ୟରୁ ତିନିଜଣ ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଉମରକୋଟ ଡାକ୍ତରଖାନାକୁ ପଠାଯାଇଛି।

ବୃଦ୍ଧ ଡମ୍ବରୁଧର ହାତୀଙ୍କ ଘର ଜମାଦାର ପଡ଼ା ଗ୍ରାମରେ। ଝିଅ ଦେଖିବା ଲାଗି ସେ ଗତକାଲି ଝରାବାହାଲ ଆସିଥିଲେ। ସେ ଆଜି ନିଜ ଗ୍ରାମକୁ ଯିବାକୁ ବାହାରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଏହି ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ସାଲେବିଡ଼ି ଗ୍ରାମର ଜନୈକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

The post ଘର ଭିତରକୁ ପିକ୍‌-ଅପ୍‌ ଭ୍ୟାନ୍‌ ପଶିଯିବାରୁ ଛଅଜଣ ଗୁରୁତର ଆହତ, ଦେଖନ୍ତୁ ଭିଡିଓ first appeared on Sambad.



from ଜିଲ୍ଲା – Sambad https://ift.tt/35V389N