
କଟକ: କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ଡ଼କାୟତି ଘଟଣାରେ ମାନାପୁରମ୍ ଗୋଲ୍ଡ଼ କମ୍ପାନିର ବଜ୍ରକବାଟି ଶାଖାର ମ୍ୟାନେଜରଙ୍କୁ ସୁନା ଲୁଚାଇ ରଖିବା ଘଟଣାରେ ପୁଲିସ ଉଠାଇନେଇ ପଚରାଉଚରା କରିଛି। ମଙ୍ଗଳାବାଗ ଥାନା ପୁଲିସ ଆଜି ତାଙ୍କୁ ଉଠାଇ ନେଇ ଜେରା କରୁଛି।
ସୂଚନାଅନୁଯାୟୀ, ବହୁଚର୍ଚ୍ଚତ କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ଡ଼କାୟତି ଘଟଣାରେ ଧୀରେ ଧୀରେ ଗୁମର ଫିଟୁଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ଆଜି କଟକ ମାନାପୁରମ୍ ଗୋଲ୍ଡ଼ ଲୋନ୍ କମ୍ପାନିର ବ୍ରଜକବାଟି ଶାଖାର ମ୍ୟାନେଜରଙ୍କୁ ସୁନା ଲୁଚାଇବା ଘଟଣାରେ ପୁଲିସ ଉଠାଇ ନେଇ ପଚରାଉଚରା ଜାରି ରଖିଛି। ପୁଲିସ ସନ୍ଦେହ କରୁଛି କି ଚୋରି ସୁନା ହୁଏତ ସେ ଲୁଚାଇ ରଖିପାରି ଥାଆନ୍ତି।
ନୟାସଡ଼କ ଆଇଆଇଏଫଏଲ୍ ଫାଇନାନ୍ସ ଶାଖାରୁ ଗଲା ୧୯ ତାରିଖରେ ଡକାୟତି ଘଟଣାରେ ଟେରିଟୋରି ମ୍ୟାନେଜର ତାପସ ରଞ୍ଜନ ସ୍ବାଇଁ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାର ପୂରା ତଥ୍ୟ ଗତକାଲି ଲାଲବାଗ ଥାନାରେ ଡିସିପି ପ୍ରତୀକ ସି˚ହ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଦାଫାସ କରିଛନ୍ତି। ସେଦିନ ଡକାୟତି ପରେ କମିସନରେଟ୍ ପୁଲିସ ଫାଇନାନ୍ସ ଶାଖା ବାହାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଏବ˚ ସମସ୍ତ କର୍ମଚାରୀଙ୍କ ସିଡିଆର୍ ଯାଞ୍ଚ କରିଥିଲା। ଶାଖାର ସମସ୍ତ କର୍ମଚାରୀଙ୍କ ପୁଲିସ ରେକର୍ଡ ଯାଞ୍ଚ କରାଯାଇଥିଲା। ଲାଲା ଅମୃତ ବିରୋଧରେ ମଙ୍ଗଳାବାଗ ଥାନାରେ ୨୦୧୯ ମେ’ ୩୧ ତାରିଖରେ ଏକ ଠକେଇ ମାମଲା ଥିବା ଜଣାପଡ଼ିଥିଲା। ବଜ୍ରକବାଟି ମାନାପୁରମ୍ ଫାଇନାନ୍ସ ଲିଃ ଶାଖାରେ ସେହି ସମୟରେ କାର୍ଯ୍ୟ କରୁଥିବା ବଡ଼ଭାଇ ଲାଲା ରଞ୍ଜନ ରାୟ ସହିତ ମିଶି ଲାଲା ଅମୃତ ୪୦ ଲକ୍ଷ ଟଙ୍କାର ଋଣ ହେରଫେର୍ କରିଥିବା ଅଭିଯୋଗ ହୋଇଥିଲା। କୌଣସି ସୁନା ମାନାପୁରମରେ ବନ୍ଧକ ନ ରଖି ବି ୪୦ ଲକ୍ଷ ଟଙ୍କାର ଋଣ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ପ୍ରଥମେ ଗତ ୨୦ ତାରିଖରେ ପୁଲିସ ସ୍କାନର୍କୁ ଆସିଥିଲେ ଲାଲା ଅମୃତ। ନୟାସଡ଼କ ଫାଇନାନ୍ସରେ ୨୦୧୧ରୁ କାର୍ଯ୍ୟ କରିଆସୁଥିବା ଅମୃତଙ୍କୁ ପୁଲିସ ଜେରା କରିବା ସହିତ ସିଡିଆର୍ ଯାଞ୍ଚ ପରେ ପୂରା ଘଟଣା ସାମ୍ନାକୁ ଆସିଥିବା ଜଣାପଡ଼ିଛି।
The post ଆଇଆଇଏଫଏଲ ଲୁଟ ଘଟଣା: ମାନାପୁରମ୍ ଗୋଲ୍ଡ଼ କମ୍ପାନିର ମ୍ୟାନେଜର୍ଙ୍କୁ ପୁଲିସର ପଚରାଉଚରା first appeared on Sambad.
from ଜିଲ୍ଲା – Sambad https://ift.tt/3mc5wyr
0 Comments