କଟକ-ମହାନଦୀବିହାର: ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ଡକାୟତି ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ କଟକ ସହରରେ ଥିବା ଅନ୍ୟ ସୁନାଲୋନ୍ ବ୍ୟାଙ୍କ କର୍ମଚାରୀଙ୍କ ବିଷୟରେ ପୁଲିସ ବିଭିନ୍ନ ତଥ୍ୟ ପାଇ ଚଢ଼ାଉ ଜାରି ରଖିଛି। ଏହି ସମୟରେ ଗିରଫ ଭୟରେ ଗୋଲଡ୍ ଲୋନ୍ ସଂସ୍ଥାର ଜଣେ କର୍ମଚାରୀ ନିଜ ବାହାଘର ଛାଡ଼ି ଫେରାର ହୋଇଯାଇଛନ୍ତି। ହୋଟେଲରୁ କନ୍ୟା ଓ ତାଙ୍କ ପରିବାର ଲୋକେ ନିରାଶ ହୋଇ ଫେରିଛନ୍ତି।
ସୂଚନା ଅନୁଯାୟୀ, ଶିଖରପୁର ଛକସ୍ଥିତ ଏକ ହୋଟେଲରେ ଗତକାଲି ଗୋଲଡ୍ ଲୋନ୍ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦିନରେ ବାହାଘର ହେବାର ଥିଲା। ତେବେ, ନୟାସଡ଼କସ୍ଥିତ ଆଇଆଇଏଫଏଲ୍ ଶାଖାରୁ ସୁନା ଡକାୟତି ହେବା ପରେ ଗତ ଦୁଇଦିନ ହେଲା ପୁଲିସ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଥିବାରୁ ଏହାର ପ୍ରଭାବ ଉକ୍ତ ବାହାଘରରେ ଦେଖିବାକୁ ମିଳିଥିଲା। କଟକର ଏକ ଗୋଲଡ୍ ଫାଇନାନ୍ସ ସଂସ୍ଥାରେ ଚାକିରି କରିଥିବା ଏହି ଯୁବକ ବାହାଘର ପାଇଁ ବର ବେଶ ସାଜି ଶିଖରପୁରକୁ ଆସୁଥିବାବେଳେ ତାଙ୍କ ଉପରେ ପୁଲିସର ନଜ଼ର ପଡିଥିଲା। ପୁଲିସକୁ ଦେଖି ଯୁବକଜଣକ ଭୟରେ ଆଉ ବାହାଘର ମଣ୍ଡପକୁ ନଆସି କାର୍ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ।
ପୁଲିସ ବର ପିଛା କରିଥିଲେ ବି ଧରି ପାରି ନ ଥିଲା। ଏଣେ ଝିଅଘର ଲୋକେ ହୋଟେଲରେ ବରକୁ ଅପେକ୍ଷା କରି ରହିଥିଲେ। ରାତି ୯ଟା ପର୍ଯ୍ୟନ୍ତ ବର ନ ଆସିବାରୁ ପୁଅ ଓ ଝିଅଘର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ଝିଅଘର ଲୋକ ନିରାଶ ହୋଇ ଘରକୁ ଫେରିଥିଲେ। ଏପଟେ, ସାଧା ପୋଷାକରେ କେତେଜଣ ପୁଲିସ ହୋଟେଲ ସାମ୍ନାରେ ଜଗି ରହିଥିଲେ ବି ବର ପହଞ୍ଚି ନ ଥିଲେ।
The post ଆଇଆଇଏଫ୍ଏଲ୍ ଡକାୟତି ଘଟଣା ପରେ ଗିରଫ ଭୟରେ ବାହାଘର ଛାଡ଼ି ଫେରାର ହେଲେ ଗୋଲଡ୍ ଲୋନ୍ ସଂସ୍ଥାର ଜଣେ କର୍ମଚାରୀ, ଫେରିଲା କନ୍ୟା first appeared on Sambad.
from ଜିଲ୍ଲା – Sambad https://ift.tt/39hRZ4I
0 Comments