
ବ୍ରହ୍ମପୁର: ଚାରିଚକିଆ ଗାଡ଼ିରେ ଭର୍ତ୍ତି ହୋଇ ବାଣ ଆସୁଥିଲା। ଜିଲ୍ଲା ତଥା ଜିଲ୍ଲା ବାହାର ବେପାରୀଙ୍କ ଭଡ଼ି ଲାଗୁଥିଲା। ମୂଲଚାଲରେ ବେପାର ଚାଲୁଥିଲା। ବର୍ଷସାରା ବେପାର ହେଉଥିବା ବେଳେ ଦୀପାବଳି ପୂର୍ବରୁ କୋଳାହଳରେ ଫାଟି ପଡ଼ୁଥିଲା ଅଞ୍ଚଳ। କିନ୍ତୁ ସେଠି ଆଜି ନିରବତା ରାଜୁତି କରୁଛି। କେଉଁ ଦୋକାନର ସଟର୍ ପଡ଼ିଛି ତ ଆଉ କେଉଁ ଦୋକାନ ଖାଲି ପଡ଼ିଛି। କୁମ୍ପି, ଫୁଲଝରୀ ଓ ସଟ୍ ବାଣ ଆଉ ଦେଖିବାକୁ ମିଳୁନି। ଏହି ଚିତ୍ର ହେଉଛି, ବ୍ରହ୍ମପୁର ସହର ଅନ୍ଧପସରା ରୋଡ଼ ସ୍ଥିତ ଶ୍ରୀ ବାଲୁଙ୍କେଶ୍ବର ବାଣ ବଜାରର ଦୃଶ୍ୟ। ସାଧାରଣତଃ କାର୍ତ୍ତିକ ମାସ ଆସିଲେ ଛୋଟବଡ଼ ବେପାରୀଙ୍କ ଭିଡ଼ ଲାଗୁଥିଲା। କୋଟି କୋଟି ଟଙ୍କାର ବେପାର ହେଉଥିଲା। ଚଳିତ ବର୍ଷ ବିନା ବାଣ ଶବ୍ଦରେ ଦୀପାବଳି ପାଳନ ହେବାକୁ ଯାଉଥିବା ବେଳ ନିରବ ହୋଇପଡ଼ିଛି ବାଣବଜାର। କରୋନା କଟକଣା ଯୋଗୁଁ ବାଣ ବ୍ୟବସାୟ ଉପରେ ନିର୍ଭର କରୁଥିବା ଶହଶହ ବ୍ୟକ୍ତିଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି।

ବାଲୁଙ୍କେଶ୍ବର ବାଣ ବଜାରକୁ ଟ୍ରକରେ ବାଣ ଆସୁଥିଲା। ତାମିଲାନୁଡ଼ର ଶିବକାଶି ଠାରୁ ଆରମ୍ଭ କରି ଛତିଶଗଡ଼ର ରାୟପୁରରୁ ବାଣ ଆମଦାନି ହେଉଥିଲା। ଆମ ରାଜ୍ୟରେ ଦୀପାବଳି, କାର୍ତ୍ତିକ ପୂର୍ଣ୍ଣମୀ ଓ ନାଗଚତୁର୍ଥୀରେ ଲୋକେ ବାଣ ଫୁଟାନ୍ତି। ଏହାକୁ ଦୃଷ୍ଟିରେ ରଖି ଦୀପାବଳି ଆସିଲେ ଗଞ୍ଜାମ ଜିଲ୍ଲା ସମେତ ବାହାର ରାଜ୍ୟରୁ ବହୁ ବେପାରୀ ଏଠାକୁ ଆସୁଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭଲ ବ୍ୟବସାୟ ହେଉଥିଲା। ସେଠାରେ ଶହ ଶହ ବ୍ୟକ୍ତି କାମ କରୁଥିବା ବେଳେ ଏହି ବ୍ୟବସାୟ କରି ପରିବାର ଚଳାଉଥିଲେ। କିନ୍ତୁ ସେହି ସ୍ଥାନ ଆଜି ଶୂନଶାନ୍ ପାଲଟିଯାଇଛି। ନା ବାଣ ରହିଛି, ନା ବ୍ୟବସାୟ ହେଉଛି, ଦୋକାନ ସେମିତି ଖାଲି ପଡ଼ିଛି। ବାଣ ବ୍ୟତୀତ ଅଲଗା ସାମଗ୍ରୀର ଗୋଦାମ ପାଲଟିଯାଇଛି। ଲକ୍ଡାଉନ୍ ଯୋଗୁଁ ମାସମାସ ଧରି କାମ ପାଇପାରୁ ନଥିବା ବେଳେ ସରକାରଙ୍କ ନିୟମକକୁ ମାନି କୌଣସି ବ୍ୟକ୍ତି ବାଣ ବ୍ୟବସାୟ କରୁନାହାନ୍ତି, ଭାଗ୍ୟକୁ ଆଦରି ଚାହିଁ ବସିଛନ୍ତି।
କିଛି ବାଣ ବ୍ୟବସାୟୀଙ୍କ କହିବାନୁଯାୟୀ, ପୂର୍ବରୁ ବଜାର ଭିତରେ ବାଣ ବ୍ୟବସାୟ କରୁଥିଲେ। ବିଭିନ୍ନ କଟକଣା ଯୋଗୁଁ ୧୯୯୮ ମସିହା ବେଳକୁ ଆମ୍ବ ମାର୍କେଟ ଠାରେ ବାଣ ବ୍ୟବସାୟ କରିଲେ। ସେଠାରେ ମଧ୍ୟ ପାଞ୍ଚ ବର୍ଷ ବିକ୍ରି ପରେ ପୁଣି ସହର ଠାରୁ ଦୂରକୁ ଅନ୍ଧପସରା ରୋଡ଼କୁ ଆସିବାକୁ ପଡ଼ିଥିଲା। ସେଠାରେ ୪୦ରୁ ଅଧିକା ଦୋକାନୀ ବର୍ଷସାରା ବାଣ ବ୍ୟବସାୟ କରୁଥିଲେ। ପ୍ରତିବର୍ଷ ଲାଇସେନ୍ସ୍ ନବୀକରଣ ହେଉଥିଲା ଓ ବ୍ୟବସାୟ ମଧ୍ୟ ଚାଲିଥିଲା। କିନ୍ତୁ ୨୦୧୭ ମସିହା ପରଠାରୁ ଆଉ ଲାଇସେନ୍ସ୍ ନବୀକରଣ ହୋଇପାରିଲା ନାହିଁ। ଏହାପରେ ୨୦୧୮ ମସିହା ଠାରୁ ଆଉ ପୂର୍ବଭଳି ବ୍ୟବସାୟ ମଧ୍ୟ କରିପାରିଲେ ନାହିଁ। କିନ୍ତୁ ସେହିବର୍ଷ ଦୀପାବଳି ସମୟରେ ୩ ଦିନ ବିକ୍ରି ପାଇଁ ଅନୁମତି ମିଳିଥିଲା। ସ୍ବଳ୍ପ ଦିନ ମଧ୍ୟରେ ବାଣ ବିକ୍ରି ହୋଇ ପାରିନଥିବା ବେଳେ ଗୋଦାମରେ ବାଣ ଭର୍ତ୍ତି ହୋଇ ରହିଥିଲା। ୨୦୧୯ ମସିହାରେ ସମସ୍ତଙ୍କୁ ବାଣ ବିକିବା ପାଇଁ ସେତିକି ମଧ୍ୟ ସୁଯୋଗ ମିଳିପାରିଲା ନାହିଁ। କିନ୍ତୁ ଚଳିତବର୍ଷ ଦୀପାବଳି ପୂର୍ବରୁ ହିଁ ପ୍ରଶାସନ ଚେତେଇ ଦେଇ ବାଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବାଣ ବିକ୍ରି କରିପାରିବେ ନାହିଁ କି ତାହାକୁ ଫୁଟାଇ ପାରିବେ ନାହିଁ। ବର୍ତ୍ତମାନ ଦୀପାବଳି ସକାସେ ବାଣବଜାର ବନ୍ଦ ରହିବ ବୋଲି ପୋଷ୍ଟର୍ ଝୁଲୁଥିବାର ଦେଖିବାକୁ ମିଳୁଛି।
The post ବ୍ରହ୍ମପୁର: ଫୁସକିଲା ଦୀପାବଳି, ନିରବ ବାଣ ବଜାର first appeared on Sambad.
from ଜିଲ୍ଲା – Sambad https://ift.tt/3n9AdVd
0 Comments