ଆଳି: ଖରସ୍ରୋତା ଜଳବିବାଦକୁ ନେଇ ଆଳି-କନିକାର ରାଜନୈତିକ ଓ ସାମାଜିକ ଉଷ୍ମତା ସରଗରମ ହୋଇପଡ଼ିଛି। ଆଜି  ଖରସ୍ରୋତା ଉପକଣ୍ଠ ଭାରିଗଦାରେ ବିରୋଧୀ ସମାବେଶ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଦିନରାତି ଏକାକାର କରି ଜନମତ ଏକାଠି କରି ଆଜିର ସମାବେଶରେ ହଜାର, ହଜାର ଲୋକଙ୍କୁ ସାମିଲ କରିଛି।

ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ ସହିତ ଖରସ୍ରୋତାରୁ ବୁନ୍ଦାଏ ପାଣି ନ ଦେବାର ଜିଦରେ ଅଟଳ ସଂଗ୍ରାମ ସମିତିର ଏହି ସମାବେଶରେ ପୋସ୍କୋ ବିରୋଧୀ ଆନ୍ଦୋଳନର ନେତା ଅଭୟ ସାହୁ, ମହାନଦୀ ବଞ୍ଚାଅ ଅଭିଯାନର ଆବାହକ ସୁଦର୍ଶନ ଦାସ, ଓଡ଼ିଶା ଲୋକଜନଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ, ଅଳିକିଶୋର ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଦେବେନ୍ଦ୍ର ଶର୍ମା, ଅଂଶୁମାନ ମହାନ୍ତି  ପ୍ରମୁଖ ଯୋଗ ଦେଇ ଖରସ୍ରୋତାରୁ ବୁନ୍ଦାଏ ପାଣି ଶୁଖାଇବାର ଅଧିକାର କାହାରି ନାହିଁ ବୋଲି ଦୃଢୋକ୍ତି କରିଛନ୍ତି। ଗତ ଏକମାସ ହେଲା ଖରସ୍ରୋତା ଜଳକୁ ନେଇ ସପକ୍ଷବାଦୀ ଓ ବିରୋଧୀମାନଙ୍କ ବିବାଦ ଲାଗିରହିଛି।

ଗତ ଅକ୍ଟୋବର ୮ ତାରିଖରୁ ଖରସ୍ରୋତା ନଦୀପଠାରେ ସମିତିର ଧାରଣା, ମାନବ ଶୃଙ୍ଖଳ,ଗାଁ ମେଳି ଓ ବିଜେଡି ମହିଳା ସମାବେଶ, ନଦୀପଠାରେ ବିଜେଡିର ସପକ୍ଷବାଦୀ ସଭାକୁ ନେଇ ଜଳବିବାଦ ତୀବ୍ରତର ହୋଇ ପଡ଼ିଥିବା ବେଳେ ଆଜିର ସମାବେଶ ଖରସ୍ରୋତାରୁ ବୁନ୍ଦାଏ ଜଳ ନଦେବାର ସଂକଳ୍ପକୁ ତେଜିୟାନ କରିଦେଇଛି।କୃଷି, କୃଷକ ଓ ଜୈବ ବିବିଧତାକୁ ଛାରଖାର କରି କୌଣସି ପରିସ୍ଥିତିରେ ମଧ୍ୟ ଖରସ୍ରୋତାରୁ ବୁନ୍ଦାଏ ବି ପାଣି ଦିଆଯିବ ନାହିଁ ବୋଲି ଆଜି ମେଗାପାନୀୟ ଜଳ ବିରୋଧୀ ମଞ୍ଚରୁ ହୁଙ୍କାର ଛାଡ଼ିଛନ୍ତି ଖରସ୍ରୋତା ବଞ୍ଚାଅ ସପକ୍ଷବାଦୀ ନେତାମାନେ।

The post ଖରସ୍ରୋତା ମେଗା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ: ଏକାଠି ହୋଇ ମଞ୍ଚରୁ ହୁଙ୍କାର ଦେଲେ ବିରୋଧୀ  first appeared on Sambad.



from ଜିଲ୍ଲା – Sambad https://ift.tt/2ITCZip