
ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଘଟଣା ଓ ଆକାଶ ପାଠକଙ୍କ ସହ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ର ଖୋଳତାଡ଼ ଲାଗି ଆଜି ରାତିରେ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମ୍ବ୍ରାଞ୍ଚ ସ୍ବତନ୍ତ୍ର ଟିମ୍। ଏହି ଟିମ୍ ପ୍ରଥମେ ଦକ୍ଷିଣାଞ୍ଚଳ ରେଞ୍ଜ୍ ଡିଆଇଜିଙ୍କ ଅଫିସ୍ରେ କିଛି ବିଭାଗୀୟ ଅଧିକାରୀଙ୍କୁ ନେଇ ଗୋପନ ବୈଠକ ବି କରିଛି। କ୍ରାଇମ୍ବ୍ରାଞ୍ଚର ଜଣେ ଇନ୍ସ୍ପେକ୍ଟର୍ଙ୍କ ନେତୃତ୍ବରେ ଏହି ଟିମ୍ ଆସିଥିବା ଜଣାପଡ଼ିଛି। ତଦନ୍ତ ପ୍ରଥମ ଭାଗରେ ଗୋପାଳପୁର ଟାଟା ଥଇଥାନ କଲୋନିର ୨ଜଣଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି।
ଗୋପାଳପୁର ନିର୍ବାଚନମଣ୍ଡଳୀର ୬୮ଜଣ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ କୋଟିକୋଟି ଟଙ୍କା ଚଳୁ କରା ଯାଇଥିବା ଅଭିଯୋଗ ହୋଇଥିଲା। କଳାଧନର କୁବେର ଆଇଏଫ୍ଏସ୍ ଅଭୟକାନ୍ତ ପାଠକ୍ଙ୍କ ପୁଅ ଆକାଶ ନିଜକୁ ଟାଟା ମୋଟର୍ସର ଏମ୍ଡି ବୋଲି ପରିଚୟ ଦେଇ ଟଙ୍କା ଠକେଇ କରିଥିବା ସମ୍ପର୍କରେ ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଛି। ତେବେ ଏହି ଘଟଣାରେ ପାଠକ୍ଙ୍କ ସହିତ ବନ୍ଧୁ ବାନ୍ଧିବାକୁ ଯାଉଥିବା ଗୋପାଳପୁର ବିଧାୟକ ପ୍ରଦୀପଙ୍କ ଭୂମିକାକୁ ନେଇ ମଧ୍ୟ ନାନା ସନ୍ଦେହ ପ୍ରକାଶ ପାଇଛି। ତେଣୁ ତାଙ୍କର କିଛି ଅନୁଗତଙ୍କୁ ବ୍ରହ୍ମପୁର ପୁଲିସ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆଜି ସକାଳେ ଜେରା କରି ଛାଡ଼ି ଦେଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁଣିଥରେ ଡାକରା ହେବ ବୋଲି ଜଣାପଡ଼ିଛି। କ୍ରାଇମ୍ବ୍ରାଞ୍ଚ ଟିମ୍ ଆସନ୍ତାକାଲି ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ କରିବ।
The post ଟାଟା ମୋଟର୍ସ ନିଯୁକ୍ତି ଠକେଇ ମାମଲାର ତଦନ୍ତ ଲାଗି ବ୍ରହ୍ମପୁରରେ କ୍ରାଇମ୍ବ୍ରାଞ୍ଚ ଟିମ୍ first appeared on Sambad.
from ଜିଲ୍ଲା – Sambad https://ift.tt/2VhCqBS
0 Comments