ଭୁବନେଶ୍ବର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳର ତଦନ୍ତକୁ ଗୋଟିଏ ଗୋଷ୍ଠୀ ଗ୍ରହଣ କରୁନାହାନ୍ତି। କେବଳ ସେତିକି ନୁହେଁ, ମାମଲାର ସିବିଆଇ ତଦନ୍ତ ଦାବିରେ ବିଜେପି ଅଟଳ ରହିଛି। ଠିକ୍ ଏମିତି ସମୟରେ ପରୀ ଘଟଣାର ତଦନ୍ତ କ୍ଷେତ୍ରରେ ଏକ ନୂଆ କଥା ସାମ୍ନାକୁ ଆସିଛି।ନୟାଗଡ଼ ଏସଡିଜେଏମ କୋର୍ଟରେ ଦାଖଲ ହୋଇଥିବା ଫୋରେନସିକ୍ ରିପୋର୍ଟରୁ ଜଣାପଡ଼ିଛି ଯେ ପରୀ ଦେହାବଶେଷ ସହ ଜବତ ହୋଇଥିବା ଫ୍ରକରୁ ସିମେନ୍ ଦାଗ ମିଳିଛି। ହେଲେ ଏହା ୪/୫ ମାସ ପୁରୁଣା ହୋଇଥିବାରୁ ସିମେନ୍ କାହାର ତାହା ପ୍ରମାଣିତ ହୋଇପାରୁ ନାହିଁ। ମିଳିଥିବା ସିମେନ୍ ଦାଗ ସହ ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀର ରକ୍ତ ନମୁନାକୁ ଡିଏନଏ ପଦ୍ଧତିରେ ମେଳ କରିବା ପାଇଁ ଫୋରେନସିକ୍‌ ଲାବରେଟୋରିକୁ ପଠାଯାଇଥିଲା। ଏହା ମେଳ ହୋଇପାରୁନାହିଁ। ହତ୍ୟା ପରେ ଦୁଷ୍କର୍ମ ସମ୍ପର୍କରେ ଅଭିଯୁକ୍ତ ସ୍ବୀକାର କରିଥିବା ନେଇ ଏସ୍ଆଇଟି ପକ୍ଷରୁ କୁହାଯାଇଥିବା ବେଳେ ଏହି ରିପୋର୍ଟ ଏ କ୍ଷେତ୍ରରେ ଏସ୍‌ଆଇଟିର ସମସ୍ୟା ବଢ଼ାଇଛି।

ବିଶେଷଜ୍ଞଙ୍କର କହିବା କଥା ହେଉଛି ଯେ ଆରମ୍ଭରୁ ଏହି ମାମଲାକୁ ପୁଲିସ ଅବହେଳା କରି ଆସିଥିଲା। ଯାହା ଫଳରେ ପାରିପାର୍ଶ୍ବିକ ପ୍ରମାଣ ଯୋଗାଡ଼ କରିବା ଏସ୍ଆଇଟି ପାଇଁ କଷ୍ଟକର ହୋଇ ପଡ଼ିଥିଲା। ହେଲେ ଏସ୍ଆଇଟି ତଦନ୍ତ କରି ମୁଖ୍ୟ ଅଭିଯୁକ୍ତକୁ ଧରିଛି। ମାମଲାରେ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନ ଥିବା ବେଳେ ଏବେ ଫୋରେନସିକ୍ ରିପୋର୍ଟ ଏ କ୍ଷେତ୍ରରେ ଏକ ବଡ଼ ପ୍ରମାଣ ଥିଲା। କିନ୍ତୁ ଏହା ପ୍ରମାଣ ହୋଇପାରୁନଥିବା ପରିପ୍ରେକ୍ଷୀରେ ଏବେ ତଦନ୍ତକାରୀ ଟିମ୍‌କୁ ଅଧିକ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବା ପାଇଁ ପଡ଼ିବ। ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏସ୍ଆଇଟି ପ୍ରମାଣ ଯୋଗାଡ଼ କରିବା ଲାଗି ଅନ୍ୟ ଦିଗ ଉପରେ ଧ୍ୟାନ ଦେଇଛି। ଅଭିଯୁକ୍ତର ବ୍ରେନ୍ ମ୍ୟାପିଂ କରିବା ପାଇଁ ମଧ୍ୟ ଯୋଜନା କରିଛି। ପୂର୍ବରୁ ପଲିଗ୍ରାଫ୍ ପରୀକ୍ଷା କରାଯାଇଥିବା ବେଳେ ସବୁ ପ୍ରଶ୍ନର ଉତ୍ତର ଶତପ୍ରତିଶତ ମିଛ ଆସିଥିଲା। ଏବେ ବ୍ରେନ୍ ମ୍ୟାପିଂରୁ ଆହୁରି ପ୍ରମାଣ ମିଳିବ ବୋଲି ଏସଆଇଟି ଆଶା ରଖିଛି।

The post ପରୀ ମାମଲାରେ ନୂଆ ମୋଡ଼, ସିମେନ୍‌ କାହାର ଜଣାପଡ଼ୁନି first appeared on Sambad.



from ଜିଲ୍ଲା – Sambad https://ift.tt/2JsdS76