
ମାର୍ଶାଘାଇ: ମହାମାରୀ କରୋନା କବଳରୁ ପଳାଇଆସି ତେଜରାତି ଦୋକାନଟିଏ କରି ପରିବାର ଭରଣପୋଷଣ କରୁଛି। ଏଇ ମାସେ ହେବ ଦୋକାନଟିଏ ଖୋଲିଛିା ଲାଭ ପ୍ରତି ନଜର ନାହିଁ। କିଛିଦିନ ଗଲାପରେ ଜଣାପଡ଼ିବ। ସାମାନ୍ୟ ଲାଭ ରଖି ଭଲ ଜିନିଷ ଗ୍ରାହକଙ୍କୁ ଯୋଗାଇ ଦେଉଛି। ସଂପୂର୍ଣ୍ଣ ଅସହାୟ ହୋଇପଡିଥିବା ମଣିଷଟିଏ ଆଜି ସ୍ବାବଲବୀ ହୋଇ ପରିବାର ଚଳାଇବାର ଆଶା ରଖିଛନ୍ତି।
ମହେନ୍ଦ୍ର ଖୁଣ୍ଟିଆ। ବୟସ ୪୧ବର୍ଷ। ଘର ମାର୍ଶାଘାଇ ବ୍ଲକ ଅର୍ନ୍ତଗତ କୁହୁଡି ପଂଚାୟତର ନେମ୍ବରା ଗ୍ରାମରେ। ପତ୍ନୀଙ୍କ ସମେତ ଗୋଟିଏ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ସଂସାର। ପିଲା ଦୁଇଜଣ ସାନସାନ। ସୁଦୂର ଅହମଦାବାଦରେ ଏକ କମ୍ପାନିରେ କପଡା ତିଆରିର ଫିଟର ଭାବେ କାମ କରି ମହେନ୍ଦ୍ର ମାସିକ ୧୫ହଜାର ଟଙ୍କା ରୋଜଗାର କରୁଥିଲେ। ସେଥିରେ ସାନପିଲା ଦୁଇଜଣ ପାଠ ପଢ଼ୁଥିଲେ। ସେ କହିବା କଥା, ‘ମାହାମାରୀ କରୋନା ଯୋଗୁଁ କମ୍ପାନି ବନ୍ଦ ହୋଇଗଲା ଓ ପିଲାଛୁଆଙ୍କୁ ସହ ଦୀର୍ଘ ୬ମାସ ଧରି ଦୁଃଖକଷ୍ଟରେ ସେଠାରେ ଭୋକ ଉପାସରେ ପଡ଼ି ରହିଲୁ।
ଘରକୁ ଫେରିବାକୁ କୌଣସି ବାଟ ନ ଥିଲା। କରୋନାର କରୁଣ ଚିତ୍ର ଆଖି ଆଗରେ ଦେଖି ଭୟଭୀତ ଅବସ୍ଥାରେ ପଡି ରହିଥିଲୁ। ଶେଷରେ ଗତ ଦୁଇମାସହେବ ଘରକୁ ପଳାଇ ଆସିଲୁ।’ ଫେରିଥିବା ବହୁ ପ୍ରବାସୀ ପୁଣି କର୍ମକ୍ଷେତ୍ରକୁ ଫେରିଥିଲେ ହେଁ ସେ ଆଉ ଭିଟାମାଟି ଛାଡ଼ିବାହାରକୁ ଯିବାକୁ ଚାହିଁଲେ ନାହିଁ। ନିକମା ହୋଇ ଘରେ ନ ବସି ଧାର କରଜ କରି ତେଜରାତି ଦୋକାନଟିଏ ଖୋଲିବାକୁ ସ୍ଥିର କଲେ ଓ ଏଥିପାଇଁ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଋଣ ଆଣି ଦୋକାନ ବକଲେ। ଗୋଖାଦ୍ୟଠାରୁ ରାସନ୍ ପର୍ଯ୍ୟନ୍ତ ଓ ପାନଠାରୁ କୁର୍କୁରେ ପର୍ଯ୍ୟନ୍ତ ସବୁ ବିକ୍ରୟ କରୁଛନ୍ତି। ସାନ ପିଲା ଦୁଇଜଣ କେନ୍ଦ୍ରାପଡ଼ିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଯେତେ ଅଭାବ ଅସୁବିଧା ହେଲେ ବି ପିଲାମାନଙ୍କ ପାଠପଢ଼ା ପ୍ରତି ଯତ୍ନବାନ ହେବେ ବୋଲି ମହେନ୍ଦ୍ର କହନ୍ତି। ବାହାରେ କାହାରି ପାଖରେ ମୁଣ୍ତ ନ ବିକି ନିଜ ଭିଟାମାଟିରେ ରହି ଜୀବିକା ବଂଚେଇବାକୁ ସେ ଏବେ ସଂକଳ୍ପ ନେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସରକାରୀ ସାହାଯ୍ୟ କିମ୍ବା ବ୍ୟାଙ୍କ ଋଣ ମିଳିଲେ ଆହୁରି ଆଗକୁ ବଢ଼ିପାରନ୍ତେ ବୋଲି ସେ କହିଛନ୍ତି।
The post କରୋନା କାହାଣୀ; କପଡ଼ା କମ୍ପାନିରୁ ତେଜରାତି ଦୋକାନ first appeared on Sambad.
from ଜିଲ୍ଲା – Sambad https://ift.tt/3aDdDkT
0 Comments