କଟକ: କରୋନା ମହାମାରୀ ପାଇଁ ବଡ଼ିଦନ ଅବସରରେ ବି ସହରର ପ୍ରାୟ ସମସ୍ତ ମୁଖ୍ୟ ଚର୍ଚ୍ଚରେ ତାଲା ଝୁଲିଥିବାର ଦେଖିବାକୁ ମିଳିଥିଲା। ବଡ଼ଦିନ ପାଇଁ ସହରର ୫ଟି ଚର୍ଚ୍ଚ ସିଏମସିରୁ ଅନୁମତି ନେଇ ଖୋଲିଥିବା ବେଳେ ସବୁ ସ୍ଥାନରେ କୋଭିଡ୍ କଟକଣାକୁ ପାଳନ କରାଯାଇ ଥିବାର ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଅନେକ ଚର୍ଚ୍ଚ ଶ୍ରଦ୍ଧାଳୁଙ୍କ ପାଇଁ ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ଜୁମ୍‌, ଗୁଗୁଲ୍‌ ମିଟ୍‌ରେ ଉପାସନାର ଆୟୋଜନ କରିଥିଲେ।

କରୋନା ଯୋଗୁଁ ଗତ ମାର୍ଚ୍ଚରୁ ସହରର ସବୁ ଚର୍ଚ୍ଚ ଗୁଡିକ ବନ୍ଦ ରହିଥିବା ବେଳେ ଆଜି ବଡ଼ଦିନରେ ବି ପ୍ରାୟତଃ ସବୁ ଚର୍ଚ୍ଚରେ ତାଲା ପଡିଥିଲା। ସହରର ଅଳ୍ପ କିଛି ଚର୍ଚ୍ଚ ପ୍ରଶାସନଠାରୁ ଅନୁମତି ନେଇ ବଡ଼ଦିନ ଉପାସନା ପାଇଁ ଖୋଲି ଥିବା ବେଳେ ସେଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳି ନଥିଲା। ସହରରେ ସଂକ୍ରମଣଙ୍କ ସଂଖ୍ୟା କମିଥିବାରୁ ବଡ଼ଦିନରେ ଚର୍ଚ୍ଚ ଖୋଳିବାକୁ ମହାନଗର ନିଗମ ତରଫରୁ ଅନୁମତି ଦିଆଯାଇଥିଲା। ଏଥିରେ ସହରର ୫ଟି ଚର୍ଚ୍ଚ ୫୦ଜଣ ଲୋକଙ୍କୁ ନେଇ ବଡ଼ଦିନ ଉପାସନା କରିବାକୁ ଅନୁମତି ମାଗିଥିଲେ। ସିଏମସି ପକ୍ଷରୁ ସେମାନଙ୍କୁ ଏଥିପାଇଁ ଅନୁମତି ଦିଆଯାଇଥିଲା। ଆଜି ସକାଳ ୭ଟାରେ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ କ୍ୟାଥଲିକ୍ ଚର୍ଚ୍ଚରେ ବଡ଼ଦିନ ଉପାସନା କରାଯାଇଥିଲା। ଏହାପରେ ଚର୍ଚ୍ଚ ପରିସରରେ ହୋଇଥିବା ସାଜସଜ୍ଜା ପାଇଁ ସାଧାରଣ ଲୋକଙ୍କ ପାଇଁ ଗେଟ୍‌ ଖୋଲି ଦିଆଯାଇଥିଲା।

Sambad

ଅନ୍ୟପଟେ ମିସନ୍‌ ରୋଡସ୍ଥିତ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, କଟକ ଚଣ୍ଡି ଛକସ୍ଥିତ ମାଉଣ୍ଟ ହାଉସ୍‌ ଚର୍ଚ୍ଚ, ମକରାବାଗସ୍ଥିତ ଚର୍ଚ୍ଚ ଅଫ୍‌ ଗଡ‌୍ ଇନ୍‌ କ୍ରାଇଷ୍ଟି ପରି ଆ‌େନକ ଚର୍ଚ୍ଚକୁ କରୋନା ସଂକ୍ରମଣ ପାଇଁ ଆଜି ବନ୍ଦ ରଖାଯାଇଥିଲା। ସହରର ବିଭିନ୍ନ ଖ୍ରୀଷ୍ଟିଆନ ସାହିର ଉପାସନା ଗୃହ ଗୁଡିକୁ ସଜା ଯାଇଥିବା ବେଳେ କେବଳ ସୂତାହାଟ ଉପାସନା ଗୃହରେ ୨୪ ତାରିଖ ସଂଧ୍ୟାରେ ପ୍ରଶାସନର ଅନୁମତିରେ ଉପାସନା କରାଯାଇଥିଲା। ଆଜି ଚର୍ଚ୍ଚ ଗୁଡିକ ବନ୍ଦ ଥିବା ବେଳେ ଶ୍ରଦ୍ଧାଳୁଙ୍କ ପାଇଁ ୟୁଟ୍ୟୁବ୍‌, ଫେସ୍‌ବୁକ୍‌, ଜୁମ୍‌ ଓ ଗୁଗୁଲ୍‌ ମିଟ୍‌ପରି ଆପରେ ଉପାସନା ‌କରାଯାଇଥିଲା। କରୋନା ପାଇଁ ଚର୍ଚ୍ଚରେ ଉପାସନା ବନ୍ଦ ଥିବା ଯୋଗୁଁ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀ ପକ୍ଷରୁ ୟୁଟ୍ୟୁବ୍‌ ଓ ଫେସ୍‌ ବୁକ୍‌ରେ ଉପାସନା କରାଯାଇଛି। ଏଥିରେ ୩ ହଜାରରୁ ଅଧିକ ଖ୍ରୀଷ୍ଟ ବିଶ୍ବାସୀ ସେମାନଙ୍କ ଘରେ ରହି ଈଶ୍ବରଙ୍କ ବାକ୍ୟ ଶୁଣିଥିଲେ ବୋଲି ଚର୍ଚ୍ଚର ମୁଖ୍ୟ ପାଳନ ନିହାର କୁମାର ବର୍ଦ୍ଧନ କହିଛନ୍ତି। ସେପଟେ କଟକ ଚଣ୍ଡି ଖ୍ରୀଷ୍ଟ ସମାଜ ଗୃହ ପକ୍ଷରୁ ୟୁଟ୍ୟୁବରେ ଉପସାନା କରାଯାଇଥିବାର ସମାଜ ଗୃହର ସଂପାଦକ ଚନ୍ଦନ ଦାସ କହିଛନ୍ତି।

The post ବଡ଼ଦିନରେ କେବଳ ୫ ଚର୍ଚ୍ଚ ଖୋଲିଲା; ୟୁଟ୍ୟୁବ୍‌, ଫେସ୍‌ବୁକ ଓ ଜୁମ୍‌ରେ ଘରୁ ବସି ଉପାସନା କଲେ ଶ୍ରଦ୍ଧାଳୁ first appeared on Sambad.



from ଜିଲ୍ଲା – Sambad https://ift.tt/2M85j2e