ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଅଞ୍ଚଳରେ ବଣୁଆ ଦନ୍ତା ହାତୀଙ୍କ ଉପଦ୍ରବ ଥମିବାର ନା ନେଉ ନାହିଁ। ଏହା ନିତିଦିନିଆ ଘଟଣା ହୋଇଛି। ଅଞ୍ଚଳବାସୀ ଏହାଦ୍ବାରା ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗର ସ୍ୱତନ୍ତ୍ର ସ୍କ୍ବାଡ୍‌ ମଧ୍ୟ ହାତୀମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛି। ଗୁରୁବାର ରାତିରେ ଗୋଟିଏ ବଣୁଆ ଦନ୍ତା ହାତୀ ଉପଦ୍ରବରେ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଠର୍ଲିର ରବିନ୍ଦ୍ର ବାଙ୍କ, ଭମର ଭୋଇଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଭମରଙ୍କ ଘର ଭିତରେ ଥିବା ତିନି ପ୍ୟାକେଟ୍‌ ଚାଉଳକୁ ଖାଇବା ସହ ଫିଙ୍ଗିଫୋଫାଡ଼ି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଠର୍ଲିରେ ଉପଦ୍ରବ ସାରି ଦନ୍ତାଟି ଜାତୀୟ ରାଜପଥ ପାର କରି ପଡ଼ିଆବାହାଲ ରେଞ୍ଜ ବଡ଼ସାହିର ସେକ୍ସନ ବାବୁପାଲି ଗାଁ ମୁହାଁ ହୋଇଥିଲେ।। ଗାଁର ମୁକ୍ତା ଭୋଇ, ଜୟ ନାରାୟଣ ଧରୁଆଙ୍କ ଘର ଭାଙ୍ଗି ଦେଇଥିବା ବେଳେ ପିଙ୍କୁ ଭୋଇଙ୍କ ଧାନ ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡ଼ିଛି।

ସେହିପରି ଗରୁବାର ରାତିରେ ହାତୀମାନେ ଗଡ଼ଗଡ଼ବାହାଲ ଗ୍ରାମରେ ଟଙ୍କଧର ପ୍ରଧାନଙ୍କ ବଗିଚାରେ ପଶି କଦଳୀ ଗଛ ଓ ପନିପରିବା ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଉଭୟ ଘଟଣାରେ ବନ ଓ ରାଜସ୍ୱ ବିଭାଗ ପକ୍ଷରୁ ଯୁଗ୍ମ ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

The post ଥମୁନି ଦନ୍ତା ଉପଦ୍ରବ; ଘର ଭାଙ୍ଗିଲା, ପନିପରିବା ଚାଷ ନଷ୍ଟ କଲା first appeared on Sambad.



from ଜିଲ୍ଲା – Sambad https://ift.tt/2L6mhgR