ଫୁଲବାଣୀ:କରୋନା ପାଇଁ ଏଥର ପାଳନ ହେଲା ନାହିଁ ଜିରୋ ନାଇଟ। ଆଉ ନୂଆ ବର୍ଷ ପାଳନ ବି ଫିକା ପଡିଲା। ଏପଟେ କଟକଣା। ସେପଟେ କରୋନା ଭୟ। ତେଣୁ ନୂଆବର୍ଷ ପାଳନ ପାଇଁ କାହା ମନରେ ଖୁସି କି ଉତ୍ସାହ ନଥିଲା। ଆଜି ହେଉଛି ଇଂରାଜୀ ନବବର୍ଷର ପ୍ରଥମ ଦିନ। ପୂର୍ବ ରାତିରେ ଜିରୋ ନାଇଟ କାର୍ଯ୍ୟକ୍ରମ ସବୁ ଆଡେ ଧୁମଧାମରେ ପାଳନ କରାଯାଏ। ଏଥି ନିମନ୍ତେ କନ୍ଧମାଳ ଜିଲ୍ଲାରେ ସବୁଠି ପରିବେଶ ବେଶ ଚଳଚଞ୍ଚଳ ରହିଥାଏ।

ମନ୍ଦିରକୁ ସକାଳୁ ଲୋକଙ୍କ ସୁଅ ଛୁଟେ। ତାପରେ ଭୋଜିଭାତର ଆସର ଜମେ। ସବୁ ପର୍ଯ୍ୟଟନ ସ୍ଥଳୀରେ ଗହଳିଚହଳି ଲାଗି ରହିଥାଏ। ହେଲେ କରୋନା ପାଇଁ ବିପଦ ଟଳି ନଥିବାରୁ ଅଧିକାଂଶ ସ୍ବତସ୍ପୃ୍ତଃ ଭାବେ ନୂଆବର୍ଷ ପାଳନଠାରୁ ଦୁରେଇ ରହିଥିଲେ। ବାକି ବହୁ ଯୁବଗୋଷ୍ଠୀ ଆଶାବାନ୍ଧି ଥିଲେ ଜିରୋ ନାଇଟ ନ ହେଉ ପଛେ ଭୋଜିଭାତର ଆସର ଜମିବ। ହେଲେ ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ କଟକଣା ଜାରି କଲା। ଘରେ ସମସ୍ତେ ନୂଆବର୍ଷ ପାଳନ କରିବାକୁ ଅନୁରୋଧ କଲା ପ୍ରଶାସନ। ଅମାନ୍ୟ ହୋଇ ବାହାରେ ଭୋଜିଭାତର ଆସର ଜମାଇଲେ କୋଭିଡ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ବି ଦିଆଯାଇଥିଲା।

ପୁଲିସ ଓ ପ୍ରଶାସନ ବି ପଇଁତରା ମାରି ଥିଲା। ମନ୍ଦିର ବନ୍ଦ ଥିବାରୁ ବାହାରୁ ଠାକୁରଙ୍କୁ ନମସ୍କାର କରି ଲୋକେ ଘରକୁ ଫେରିଥିଲେ। ଆଉ ଘରେଘରେ ପ୍ରାୟ ଆମିଷ ଭୋଜନରେ ନୂଆବର୍ଷ ପାଳନ ହୋଇଥିଲା। ସରକାରୀସ୍ତରରେ ଭର୍ଚୁଆଲ ମାଧ୍ୟମରେ ନବବର୍ଷର ଶୁଭେଛା ଜଣାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ହେଲେ ଏଭଳି ଅନୁରୋଧକୁ କେହି ମାନି ନଥିଲେ।

ଅଧିକାରୀମାନେ ଶୁଭେଛା ଜଣାଇବାକୁ ତଳିଆ କର୍ମଚାରୀଙ୍କୁ କହିଥିଲେ ବି କେହି ଶୁଣି ନଥିଲେ। ଅଧିକାରୀଙ୍କ ପ୍ରିୟଭାଜନ ହେବା ପାଇଁ ଫୁଲତୋଡା ଧରି ଅଧିକାରୀ ଆସିବା ପୂର୍ବରୁ ଅଫିସ ସମ୍ମୁଖରେ ତଳିଆ କର୍ମଚାରୀ ରହିଥିଲେ। ଅଫିସର ଆସିବା ପରେ ତଳିଆ କର୍ମଚାରୀ ଫୁଲତୋଡା ଦେଇ ଶୁଭେଛା ଜଣାଇଥିଲେ।

ଅଧିକାଂଶ ଅଧିକାରୀ ଫୁଲତୋଡା ଟେବୁଲ ଉପରେ ରଖିବାକୁ କହିଥିବା ବେଳେ କିଛି ଅଧିକାରୀ ହାତରେ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ ଓ ଏସପି ସମେତ ଏମିତି ବହୁ ଅଧିକାରୀଙ୍କ ଟେବୁଲ ତଳିଆ କର୍ମଚାରୀ ଦେଇଥିବା ଫୁଲତୋଡାରେ ଗଦା ହୋଇ ପଡିଥିଲା। ଶୁଭେଛା ପର୍ବ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। ଲଗାତାର ଦୁଇ ଦିନ ଛୁଟିଥିବାରୁ ବହୁ ଅଧିକାରୀ ଅଫିସ ଛାଡି ଘରକୁ ପଳାଇ ଯାଇଥିଲେ। ଅପରାହ୍ନ ୩ଟା ପରେ କେବଳ କାଁଭାଁ ଅଧିକାରୀଙ୍କ ଦେଖା ମିଳି ଥିଲା। କଟକଣା ପାଇଁ ଏଥର ସୋସିଆଲ ମିଡିଆରେ ଶୁଭେଛାର ସୁଅ ବେଶୀ ଛୁଟିଥିଲା। କିଏ ସପରିବାର ଫଟୋ ସହ ତ ଆଉ କିଏ ନିଜର ଫଟୋ ଦେଇ ନବବର୍ଷର ଶୁଭେଛା ଜଣାଇଥିଲେ।

The post କଟକଣା ପାଇଁ କନ୍ଧମାଳରେ ନୂଆବର୍ଷ ଫିକା: ଭର୍ଚୁଆଲ ଶୁଭେଚ୍ଛା ଅନୁରୋଧକୁ ଭୁଲିଗଲେ first appeared on Sambad.



from ଜିଲ୍ଲା – Sambad https://ift.tt/352lCnH