
ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ପରସିଙ୍ଗା ପଞ୍ଚାୟତର ପଥରାଡି ଗ୍ରାମର ବିଧବା ମେନକାଙ୍କ ଏକମାତ୍ର ପୁତ୍ର ଗୋବିନ୍ଦ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ଅର୍ଥ ଅଭାବରେ ଚିକତ୍ସା କରି ପାରୁ ନାହାନ୍ତି ମାଆ। ତାଙ୍କର ଏଇ ଅସହାୟତା ସଂପର୍କରେ ଆଜି ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ସମାଜସେବୀ କୁମାର କବି ଗଙ୍ଗାଧର ସେହି ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି। ଏଭଳି ଅସମୟରେ ମାଆ ଓ ପୁଅଙ୍କୁ ସମବେଦନା ଜଣାଇବା ସହ ଦୁଇ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ଗୋବିନ୍ଦଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ଯିବା ନେଇ ଗଙ୍ଗାଧର ସବୁ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଥିବା ବେଳେ ଅସହାୟ ଗୋବିନ୍ଦ ପ୍ରତି ଜିଲ୍ଲାର ବିଭିନ୍ନ ସାମାଜିକ ସେବା ସଂଗଠନ, ସହୃଦୟ ବ୍ୟକ୍ତି ସହାୟତା ପ୍ରଦାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। କୁମାର ଗଙ୍ଗାଧରଙ୍କର ଏଇ ସହାୟତାକୁ ବିଭିନ୍ନ ସମହଲରେ ପ୍ରସଂଶା କରାଯାଇଛି। ସେ କାହାରି ଦୁଃଖ ଶୁଣିଲେ କି ଦେଖିଲେ ରହି ପାରନ୍ତି ନାହିଁ।
ନିଜ ପକେଟରେ ପଇସା ନଥିଲେ ବି ସେ ସହାୟତା ଦେବାକୁ ଆଗେଇ ଯାଆନ୍ତି। ଅନ୍ୟକୁ ସହାୟତା କରିବା ତାଙ୍କ ଜୀବନର ମୂଳମନ୍ତ୍ର । କେବଳ ଭଦ୍ରକରେ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସେ ଅସହାୟ ପରିବାରଙ୍କୁ ସହାୟତାର ହାତ ବଢାନ୍ତି। ମେଡିକାଲରେ ରୋଗୀ ସେବା ହେଉ କିମ୍ବା ପରିବେଶ ପାଇଁ ବୃକ୍ଷ ରୋପଣ। ବୁଲା ପଶୁପକ୍ଷୀଙ୍କ ସେବା ଅବା ମୃତ ବ୍ୟକ୍ତିଙ୍କ ପାଇଁ ମଶାଣୀ ପର୍ଯ୍ୟନ୍ତ,ସବୁଠି ଥାଏ ତାଙ୍କର ଉପସ୍ଥିତ। ତିହିଡି ମାଟିର ପୁଅ କୁମାର ଗଙ୍ଗାଧର ଏବେ ତାଙ୍କର ଏଇ ଅଜାତିତ ସେବା ପାଇଁ ସାରା ଓଡ଼ିଶାରେ ଏକ ପରିଚିତ ନାଁ। ନିଜେ ଦୁଃଖକଷ୍ଟରେ ଜୀବନ ବିତାଉ ଥିଲେ ମଧ୍ୟ ଅନ୍ୟ ଆଖିର ଲୁହ ଦେଖିଲେ ନିଜର କୋହ ସମ୍ଭାଳି ପାଳନ୍ତି ନାହିଁ କୁମାର ଗଙ୍ଗାଧର। ସମ୍ବାଦରେ ଖବର ପଢି ଗୋବିନ୍ଦଙ୍କ ଦୁଃଖ ପାଇଁ ଆଜି ସହାୟତା ଦେବାକୁ ଦୌଡି ଯାଇଥିବା ଗଙ୍ଗାଧର ଅନ୍ୟ ପାଇଁ ଏକ ଉଦାହରଣ। ଆଜକୁ ଆଠ ମାସରୁ ଉର୍ଦ୍ଧ୍ବ ସମୟ ହେଲା ଦୁଇଟି କିଡନି ନଷ୍ଟ ହୋଇ ଶାରୀରିକ ଅସୁସ୍ଥତାରେ କଷ୍ଟ ପାଉଥିବା ଗୋବିନ୍ଦର ବେୟ ବହୁଳ ଚିକିତ୍ସା ପାଇଁ ସରକାରୀସ୍ତରରେ ସହାୟତା ଦିଆଯାଉ ବୋଲି ଗଙ୍ଗାଧର ନିବେଦନ କରିଛନ୍ତି।
The post କିଡନି ରୋଗୀଙ୍କୁ ସହାୟତା ଦେଲେ କୁମାର କବି ଗଙ୍ଗାଧର first appeared on Sambad.
from ଜିଲ୍ଲା – Sambad https://ift.tt/3aWrLpm
0 Comments