ଗୋପ,(ଅଜୟ ନାୟକ): ସଂଘର୍ଷ ପରେ ସଫଳତା ପାଉଥିବା ମଣିଷ କେବଳ ସମାଜରେ ନିଜ ଗୋଡ଼ ସଶକ୍ତ କରି ଠିଆ ହୋଇନଥା’ନ୍ତି, ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଥା’ନ୍ତି। କିନ୍ତୁ, ସଫଳତା ପଛରେ ରହିଥିବା ଅଙ୍ଗେ ନିଭା କଥା କୌଣସି କାହାଣୀଠାରୁ ବି କମ୍‌ ନୁହେଁ! ଏମିତି ଏକ ବାସ୍ତବ କାହାଣୀର ଚରିତ୍ର ହେଉଛନ୍ତି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ପଂଚାୟତର ବାଲିକନ୍ଦଳ ଗ୍ରାମର ସୁବାସିନୀ ମୁଦୁଲି। ସେ କତା ତିଆରି ସାମଗ୍ରୀ ପ୍ରସ୍ତୁତ କରି ଖାଲି ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇନାହାନ୍ତି, ୫୦ ଜଣ ମହିଳାଙ୍କୁ ମଧ୍ୟ ରୋଜଗାର ବାଟ ଦେଖାଇଛନ୍ତି।

ସୁବାସିନୀ ଜନ୍ମ ହେଲାବେଳକୁ ବାପା ଘର ଛାଡ଼ି ଚାଲି ଯାଇଥିଲେ। କାହିଁକି ନା ଝିଅ ଜନ୍ମକୁ ନେଇ ବାପା ତାଙ୍କର ଖୁବ୍‌ ଅସନ୍ତୋଷ ଥିଲେ। ୨ ଝିଅକୁ ନେଇ ଜୀବନର ବାଟ ଚାଲିବା ମା’ ପାଇଁ ଖୁବ୍‌ କଷ୍ଟ ବି ଥିଲା। ଯେଉଁଥିପାଇଁ ସୁବାସିନୀଙ୍କୁ ପରଘରେ ବାସନ ମାଜିବାକୁ ପଡ଼ୁଥିଲା। ଏଥିପାଇଁ ତାଙ୍କୁ ମିଳୁଥିଲା ୧୦୦ ଟଙ୍କା। ସେହି ୧୦୦ ଟଙ୍କା କିଭଳି ମା’ ଓ ଭଉଣୀର ପେଟଚାଖଣ୍ଡରେ ପୂରଣ କରିବାରେ ସହାୟ ହେଉଥିଲା, ତାହା ସେ ଏକା ଜାଣନ୍ତି। ଏହି ସମୟରେ ସେ ସାଙ୍ଗମାନଙ୍କଠାରୁ ଶୁଣିବାକୁ ପାଇଲେ ଯେ ସୋଲାର ତରଫରୁ କୋଣାର୍କରେ କତା କାମ ଶିକ୍ଷା ଦିଆଯାଉଛି। ସବୁ ଦୁଃଖକଷ୍ଟ ସ‌େତ୍ତ୍ବ ନିଜ ଭିତରେ ଥିବା ଉଚ୍ଚାଭିଳାଷ ଟିକକ ସୁବାସିନୀଙ୍କୁ ସେଇଆଡ଼କୁ ଟାଣି ନେଇଥିଲା। ଭୋକ ଓ ଉପାସରେ ୧୦ କିଲୋମିଟର ବାଟ ଚାଲି ସେ ଏହି ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ଯାତ୍ରା। ପ୍ରଶିକ୍ଷଣ ପରେ ନିଜେ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ଗ୍ରାମରୁ ୫ ଟଙ୍କା ମାସିକ ସୁଧ ହିସାବରେ ୫୦୦ଟଙ୍କା ଆଣିଲେ। ସେଇଥିରେ କତା,ସୂତା ଓ ଅଠା ସାମଗ୍ରୀ କିଣିଲେ। କତା ସାମଗ୍ରୀରେ କଣ୍ଢେଇ ତିଆରି କରି କୋଣାର୍କରେ ବିକ୍ରୟ କରିବା ପରେ ମାସିକ ୮୦୦ ଟଙ୍କା ଲାଭ ପାଇଥିଲେ। ସୁଧ ବାଦ୍‌ ମୂଳରୁ କିଛିକିଛି ଦେଇ ଋଣମୁକ୍ତ ହେବା ପରେ ଆଶାର ଆଲୋକ ତାଙ୍କ ପାଖରେ ଝକମକ୍ ହେବା ଆରମ୍ଭ ହୋଇଥିଲା। ବାସ୍ ସେବେଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି।

ଜଣେ ଛୋଟ ଝିଅ ନିଜେ ସ୍ୱାବଲମ୍ବୀ ହେବା ଦେଖିବାପରେ ପଡୋଶୀ ମହିଳାମାନେ ମଧ୍ୟ ଏଥି‌େର ଅନୁପ୍ରାଣିତ ହେଲେ। ସୁବାସିନୀ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଲେ। ଆଜି ‌େସ ନିଜେ ମାସକୁ ୧୫ ହଜାର ଟଙ୍କା ‌େରାଜଗାର କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହିତ, ନିଜ ପଞ୍ଚାୟତର ୫୦ ଜଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ରାସ୍ତା ଦେଖାଇ ପାରିଛନ୍ତି। ଯେଉଁଥିପାଇଁ ସୁବାସିନୀ ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ ବି। ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଗାଥା ସାଙ୍ଗମା ତାଙ୍କୁ ନିଜେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ନିଜ ପ୍ରତିକ୍ରିୟାରେ ସୁବାସିନୀ କୁହନ୍ତି, ‘ମୋ ଜୀବନର ପ୍ରତିଟି ଘଟଣା ମୋତେ ପ୍ରେରଣା ଯୋଗାଇଛି। ଆଜି ମୋର ଅର୍ଥାଭାବ ନାହିଁ ସତ କିନ୍ତୁ ଏବେ ବି ମନରେ ଅଭିଳାଷ ରହିଛି।’ ସରକାରଙ୍କଠାରୁ ସହଯୋଗ ମିଳିଲେ ସେ ଏହି ଅଭିଳାଷ ପୂରଣ କରିବାରେ ସକ୍ଷମ ହୋଇପାରିବେ ବୋଲି କହିଛନ୍ତି ସୁବାସିନୀ।

The post ବାସନ ମାଜୁଥିବା ଝିଅକୁ ମିଳିଲା ସଫଳତା, ନିଜ ସହିତ ୫୦ଜଣଙ୍କୁ କରିଛନ୍ତି ସ୍ୱାବଲମ୍ବୀ first appeared on Sambad.



from ଜିଲ୍ଲା – Sambad https://ift.tt/36qhyyf