ସୋର : ସୂଚନା ଅଧିକାର ଆଇନ‌୍‌ରେ ମାଗିଥିବା ସୂଚନା ଦେଲେନି। ଏଥିପାଇଁ ବାଲେଶ୍ବରର ପୂର୍ବତନ ଏସ୍‌ପି ନୀତି ଶେଖରଙ୍କୁ ଲକ୍ଷେ ଟଙ୍କା ଜରିମାନା ଦେବାକୁ ନିଦ୍ଦେର୍ଶ ଦେଇଛନ୍ତି ରାଜ୍ୟ ସୂଚନା ଅଧିକାର କମିସନର ସୁଶୀଲ କୁମାର ମିଶ୍ର। ଏଥିସହିତ ଆବେଦନକାରୀ ମାଗିଥିବା ତଥ୍ୟ ଗୋଟିଏ ସପ୍ତାହ ମଧ୍ୟରେ ଦେବାକୁ କମିସନ୍ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ବାଲେଶ୍ବର ଜିଲ୍ଲା ସୋର ଥାନା ପାହାଡ଼ତଳି ବାଘଆମ୍ପୁଡ଼ା ଅଞ୍ଚଳରେ ଏକ ଆବାସିକ ବିଦ୍ୟାଳୟର ସରକାରୀ ସ୍ବୀକୃତି ଓ କର୍ମଚାରୀଙ୍କୁ ବେତନ କରାଇବା ଦେବାକୁ ପ୍ରତିଶ୍ରୁତି ଦେଇ ଅଭିଯୋଗକାରିଣୀ ବନଜାମଞ୍ଜରୀ ମିଶ୍ରଙ୍କଠାରୁ ଭୋଗରାଇ ଅଞ୍ଚଳର ସୁବ୍ରତ ବେହେରା ବିଭିନ୍ନ ପର୍ଯ୍ୟାୟରେ ୨୨ ଲକ୍ଷ ଟଙ୍କା ନେଇଥିଲେ। ସୁବ୍ରତ ଭୋଗରାଇ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନରେ କର୍ମଚାରୀ ଭାବେ କାମ କରୁଛନ୍ତି। ତେବେ ପ୍ରତିଶ୍ରୁତି ମୁତାବକ କାମ ନ ହେବାରୁ ଟଙ୍କା ଫେରାଇ ଦେବାକୁ ବନଜାମଞ୍ଜରୀ କହିଥିଲେ ମଧ୍ୟ ଆଉ ଧରାଛୁଆଁ ଦେଇନଥିଲେ ସୁବ୍ରତ। ଏ ନେଇ ୨୦୧୪ ମସିହା ସେପ୍ଟେମ୍ବର ୨୬ରେ ସୋର ଥାନା, ୨୦୧୪ ମସିହା ଡିସେମ୍ବର ୨ରେ ସିମୁଳିଆ ଥାନା ଏବଂ ୨୦୧୫ ମସିହା ଫେବ୍ରୁଆରି ୧୫‌ ତାରିଖରେ ଖଇରା ଥାନାରେ ବନଜା ଅଭିଯୁକ୍ତ ସୁବ୍ରତଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ତିନି ଥାନାରେ ମାମଲା ରୁଜୁ ହୋଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବନଜା ସୂଚନା ଅଧିକାର ଆଇନରେ ପୁଲିସ କଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ସଂପର୍କରେ ବାଲେଶ୍ବର ଏସ୍‌ପିଙ୍କୁ ତଥ୍ୟ ମାଗିଥିଲେ। କିନ୍ତୁ ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶେଷରେ ସେ ରାଜ୍ୟ ସୂଚନା ଅଧିକାର କମିସନରଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନର ବିଚାର ପାଇଁ କମିସନରଙ୍କ ତରଫରୁ ବିଭିନ୍ନ ତାରିଖ କରାଯାଇଥିଲେ ମଧ୍ୟ ବାଲେଶ୍ବରର ପୂର୍ବତନ ଏସ୍‌ପି ନୀତିଶେଖର ତାଙ୍କ ପକ୍ଷ ରଖିନଥିଲେ। ଗତ ୨୧ ତାରିଖରେ କମିସନର ୧ ଲକ୍ଷ ଟଙ୍କା ଜରିମାନା ସହ ଗୋଟିଏ ସପ୍ତାହ ମଧ୍ୟରେ ବନଜାଙ୍କୁ ସମସ୍ତ ତଥ୍ୟ ଦେବାକୁ ରାୟ ଶୁଣାଇଛନ୍ତି।

The post ସୂଚନା ଅଧିକାର ନିୟମ ଉଲ୍ଲଂଘନ : ଆଇପିଏସ୍‌ ନୀତି ଶେଖରଙ୍କୁ ଲ‌‌କ୍ଷେ ଟଙ୍କା ଜରିମାନା first appeared on Sambad.



from ଜିଲ୍ଲା – Sambad https://ift.tt/2Y9O836