କଟକ : ଛତ୍ରପୁର ଏନ୍‌ଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ(ବଚନ) ହତ୍ୟା ମାମଲାରେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆଗୁଆ ଆବେଦନକୁ ଗ୍ରହଣ କରିବା ସହିତ ଉଭୟଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଏହି ହତ୍ୟାକାଣ୍ଡକୁ ନେଇ ଛତ୍ରପୁର ଥାନାରେ ରୁଜୁ ମାମଲାରେ ପୁଲିସ ବିଜେପିର ଏହି ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ୍ ଜାରି କରିଥିଲା। ଏହାପରେ ଉଭୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଦୁଇଟି ପୃଥକ୍‌ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ୨୦୧୯, ମାର୍ଚ୍ଚ ୧୨ରେ ହାଇକୋର୍ଟ ଏ ସଂପର୍କିତ ଜାମିନ ଆବେଦନର ଶୁଣାଣି କରି ଉଭୟ ଆବେଦନକାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଏଥିସହିତ ଆବେଦନକାରୀଙ୍କୁ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଥିଲା। ପ୍ରକାଶଥାଉକି, ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ୨୦୧୭, ସେପ୍ଟେମ୍ବର ୧୬ରେ କିଛି ଲୋକ ହତ୍ୟା କରିଥିଲେ।

The post କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ first appeared on Sambad.



from ଜିଲ୍ଲା – Sambad https://ift.tt/2Ma1ARP