
ବ୍ରହ୍ମପୁର/ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ, ସୁମଣ୍ଡଳ ଗାଁ ନିବାସୀ ଦେବରାଜ ସାହୁଙ୍କ ହତ୍ୟାକାଣ୍ଡର ମାଷ୍ଟର୍ମାଇଣ୍ଡ୍ ଏବେ ପୁଲିସ୍ ଚକ୍ରବ୍ୟୂହରେ ଫସିଛି। ସାଢ଼େ ତିନି ମାସ ତଳୁ ସେ ପୁଲିସ୍ ନଜରରେ ରହିଥିଲା। ଅନ୍ୟ ଏକ ଗୁଳିମାଡ଼ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ତା’ ପିଛା କରୁଥିଲା। ଏବେ ଦେବରାଜଙ୍କ ହତ୍ୟାକାଣ୍ଡରେ ତା’ର ଭୂମିକା ଥିବା ପୁଲିସ୍ ଜାଣିବାକୁ ପାଇଛି। ଏହି ଘଟଣାରେ ବି ପୁଲିସ୍ ୩ ଜଣଙ୍କୁ ଉଠାଇ ଆଣିଛି।
ମିଳିଥିବା ସୂଚନା ଅନୁସାରେ, ଗତ ଡିସେମ୍ବର ୧ ତାରିଖ ରାତି ୮ଟାରେ ଖଲ୍ଲିକୋଟ ବ୍ଲକ୍ ମାଣିକପୁର ଗାଁରେ ସୁମଣ୍ଡଳ ଅଞ୍ଚଳର ଜିତେନ୍ଦ୍ର ବାରିକଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ସେ ହେଉଛି ମାଷ୍ଟର୍ମାଇଣ୍ଡ୍। ଜିତେନ୍ଦ୍ର ଯେଉଁଦିନ ବିବାହ ବେଦିରେ ବସିଥା’ନ୍ତେ, ତା’ ପୂର୍ବ ରାତିରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଅଭିଯୁକ୍ତ ଆଉ କେହି ନୁହେଁ, ଜିତେନ୍ଦ୍ରଙ୍କ ସଂପର୍କୀୟ ଭାଇ। ସେବେଠାରୁ ଉକ୍ତ ଘଟଣାରେ ପୁଲିସ ତା’ ପିଛା କରୁଛି। ପୁଲିସର ଅପାରଗତା ହେଉ ବା ନିଜ ଭାଗ୍ୟ ବଳରେ, ଅଭିଯୁକ୍ତ ମୁକ୍ତ ବିହଙ୍ଗ ପରି ବୁଲୁଛି। ଏହାଭିତରେ ପୁଣି ଏକ ବଡ଼ ଅପରାଧ ଘଟାଇଛି। ଆଖିବୁଜା ଗୁଳି କରି ବେଗୁନିଆପଡ଼ା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ହତ୍ୟାର ବ୍ଲୁ’ ପ୍ରିଣ୍ଟ୍ କରି ସଫଳ ହୋଇଛି। ଗୋଟିଏ ପରେ ଗୋଟିଏ ଗୁଳି, ହତ୍ୟାକାଣ୍ଡ ଘଟାଇ ଚାଲିଛି ଅଭିଯୁକ୍ତ। ଗୁଳିକାଣ୍ଡ ଘଟଣାର ଏହି ମାଷ୍ଟରମାଇଣ୍ଡ୍ ଶେଷରେ ପୁଲିସର ଚକ୍ରବ୍ୟୂହର ଫସିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।
ଅନ୍ୟ ଏକ ସୂଚନା ଅନୁସାରେ, ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅର୍ନ୍ତଗତ ଖଇରପୁଟି ପଞ୍ଚାୟତ ବଡ଼ସାଦେରା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ୩ ଯୁବକଙ୍କୁ ପୁଲିସ ଆଜି ଭୋର୍ରୁ ଉଠାଇଛି। ସେମାନଙ୍କ ଠାରୁ ୩ଟି ପିସ୍ତଲ ଜବତ ହୋଇଥିବା କୁହାଯାଇଛି। ଏହି ତିନି ଜଣଙ୍କୁ ଆଶ୍ରୟ ଦେଇଥିବା ବାପ ପୁଅଙ୍କୁ ମଧ୍ୟ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ୩ ଯୁବକ ପୋଖରୀରୁ ଗାଧୋଇ ସାରି ଘରେ ପହଞ୍ଚିବା ପରେ ୩ଟି ପୁଲିସ ଟିମ୍ ଅତର୍କିତ ଚଢ଼ଉ କରି ସେମାନଙ୍କୁ ମାଡ଼ି ବସିଥିଲା। ଏହି ଘଟଣାକୁ ଏବେ ୪୮ଘଣ୍ଟା ବିତିଥିବା ବେଳେ ପୁଲିସକୁ ସଫଳତା ମିଳିଥିବା କୁହାଯାଉଛି। କିନ୍ତୁ ସଫଳତା ବିଷୟରେ ପୁଲିସ ସ୍ପଷ୍ଟ କରି ନାହିଁ। ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଖୁବ୍ଶୀଘ୍ର ଏହି ଘଟଣାରେ ସଫଳତା ମିଳିବ ବୋଲି ଗଞ୍ଜାମ ଏସ୍ପି ପ୍ରିଜେଶ୍ କୁମାର ରାଏ କହିଛନ୍ତି।
The post ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ହତ୍ୟା ମାମଲା : ପୁଲିସ୍ କବ୍ଜାରେ ୩ ଅପରାଧୀ first appeared on Sambad.
from ଜିଲ୍ଲା – Sambad https://ift.tt/3oaEJTa
0 Comments