
ବ୍ରହ୍ମପୁର/ଗୋପାଳପୁର : ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇଏଏସ୍ ଅଫିସର ଭିନିଲ କ୍ରିଷ୍ଣା ଦିନିକିଆ ଗଞ୍ଜାମ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସୋମବାର ରାତି ୯ଟା ୩୦ରେ ଗୋପାଳପୁରରେ ପହଞ୍ଚିଥିଲେ। ସେ ଗୋପାଳପୁର ବେଳାଭୂମି, ଶିଶୁ ଉଦ୍ୟାନ ଓ ହରିପୁର ବ୍ରିଜ ଅନୁଧ୍ୟାନ କରିଥିଲେ। ଗୋପାଳପୁର ବେଳାଭୂମି ସୌନ୍ଦର୍ଯୀକରଣ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ। ସ୍ବତନ୍ତ୍ର ସଚିବଙ୍କ ଗସ୍ତ ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍, ବ୍ରହ୍ମପୁର ମହାନଗର ନିଗମ କମିସନର ଏସ୍.ବି. ବୋନ୍ଦାର, ବିଡ଼ିଏ ସଚିବ ସମ୍ବିତ ରାଉତ ଓ ଗୋପାଳପୁର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ ସ୍ବତନ୍ତ୍ର ସଚିବ ଶ୍ରୀ କ୍ରିଷ୍ଣା ସୁନାପୁର ବେଳାଭୂମି ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ଏହାପରେ ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ତାରାତାରାଣୀ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସେଠାରୁ ଐତିହାସିକ ଜଉଗଡ଼, ବଡ଼ଖରିଡ଼ା କା;ଳଶ୍ବର ମନ୍ଦିର ନିକଟସ୍ଥ ଗ୍ରାମାଞ୍ଚଳ ପାର୍କ ଆଦି ଅନୁଧ୍ୟାନ କରିଥିଲେ। ଏହାପରେ ଶେରଗଡ଼ ବ୍ଲକ୍ର ପିତଳ ହାଇସ୍କୁଲ ଏବଂ ହିଞ୍ଜଳିକାଟୁ ବ୍ଲକ୍ର ବୃନ୍ଦାବନ ବିଦ୍ୟାପୀଠ ଆଧୁନୀକକରଣ ଓ ସ୍ମାର୍ଟ କ୍ଲାସ୍ ବ୍ୟବସ୍ଥା ଦେଖିଥିଲେ। ଶେରଗଡ଼ ଓ ହିଞ୍ଜଳି ବ୍ଲକ୍ କାର୍ଯ୍ୟାଳୟରେ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଫେରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ଯାଇ ରୋଗୀସେବା ଅନୁଧ୍ୟାନ କରିଥିଲେ। ରୋଗୀ ଏବଂ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ବ୍ରହ୍ମପୁରରୁ ଫେରିବା ବେଳେ ଐତିହାସିକ ପୋତଗଡ଼ ଦୁର୍ଗ ପରିଦର୍ଶନ କରିଥିଲେ। ଏହି ସବୁ ପ୍ରକଳ୍ପ ଗୁଡ଼ିକରେ କେଉଁ କେଉଁ ଉନ୍ନୟନ କାର୍ଯ୍ୟ ହୋଇପାରିବ ତାହା ଉପରେ ମଧ୍ୟ ଅନୁଧ୍ୟାନ କରିଥିଲେ।
The post ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ତାରାତାରିଣୀ, ଜଉଗଡ଼, ପୋତାଗଡ଼ ଅନୁଧ୍ୟାନ first appeared on Sambad.
from ଜିଲ୍ଲା – Sambad https://ift.tt/2YeyfZf
0 Comments