
କଟକ : ପୁଲିସ କନଷ୍ଟେବଳରୁ ଏଏସଆଇ ପଦକୁ ପଦୋନ୍ନତି ସଂପର୍କିତ ବିବାଦକୁ ନେଇ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ପୁଲିସ ଡିଜି ଓ ଆଇଜିଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଏସ୍ଆଇ ପଦ ପୂରଣ ପ୍ରସଂଗ ଏହି ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଡି.ପ୍ରଧାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ କାର୍ଯ୍ୟରତ କନଷ୍ଟେବଳଙ୍କୁ ଏଏସଆଇ ପଦରେ ନିଯୁକ୍ତି ନେଇ ୨୦୨୦, ଅକ୍ଟୋବର ୧୫ରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ପ୍ରାୟ ୨୭ଶହ ପ୍ରାର୍ଥୀ ସ୍ଥାନ ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମେଧା ତାଲିକାରେ ସ୍ଥାନ ପାଇଥିବା ସମସ୍ତ ପ୍ରାର୍ଥୀଙ୍କୁ କିନ୍ତୁ ନିଯୁକ୍ତି ଦିଆଯାଇ ନ ଥିଲା। ଖାଲି ପଡିଥିବା ଏଏସ୍ଆଇ ପଦ ଆଧାରରେ ମେଧା ତାଲିକାରୁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅନ୍ୟପକ୍ଷରେ ମେଧା ତାଲିକାରେ ସ୍ଥାନ ପାଇଥିବା ଅବଶିଷ୍ଟ ପ୍ରାର୍ଥୀଙ୍କ କଥାକୁ ବିଚାରକୁ ନିଆଯାଇ ନ ଥିଲା। ଏହି ମେଧା ତାଲିକା ଏକ ବର୍ଷ ପାଇଁ ବୈଧ ବୋଲି କୁହାଯାଇଥିଲା। ଏପରି ବ୍ୟବସ୍ଥାକୁ ବିରୋଧ କରି ହାଇକୋର୍ଟରେ ଆବେଦନକାରୀ ମାମଲା ରୁଜୁ କରିଥିଲେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଧା ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ଖାଲି ହେଉଥିବା ପଦବି ଆଧାରରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ଦିଆଯିବା ଉଚିତ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଦ୍ୟାଲୋକ ମହାପାତ୍ର ମାମଲା ପରିଚାଳନା କରୁଥିଲେ।
The post ପୁଲିସ୍ କନେଷ୍ଟବଳଙ୍କୁ ଏଏସ୍ଆଇକୁ ପଦୋନ୍ନତି ମାମଲା : ରାଜ୍ୟ ସରକାର, ପୁଲିସ୍ ଡିଜିଙ୍କୁ ନୋଟିସ୍ first appeared on Sambad.
from ଜିଲ୍ଲା – Sambad https://ift.tt/3ow45fr
0 Comments