
ଜୟପୁର: ଯୁଗ ବଦଳିବା ସହ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଫିଟ୍ ରହିବାକୁ ଚାହୁଁଛନ୍ତି। ନିଜର ବ୍ୟସ୍ତ ବହୁଳତା ସତ୍ତ୍ବେ ସମୟ ଟିକିଏ ବାହାର କରି କିଏ ଜିମ୍ ଯାଉଛି ତ ଆଉ କିଏ ପ୍ରାତଃ ଏବଂ ସାଧ୍ୟ୍ୟ ଭ୍ରମଣ କରୁଛି। ତେବେ ଜିମ୍ ଗଲେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ତେଣୁ ଜଣେ ଆଦିବାସୀ ଯୁବକ ନିଜସ୍ବ ଉଦ୍ୟମରେ ଜଙ୍ଗଲ ମଧ୍ୟରେ ଆରମ୍ଭ କରିଛନ୍ତି ଶୁଳ୍କ ମୁକ୍ତ ଜିମ୍। ଆଉ ଏହି ଜିମରେ ତାଲିମ ନେଉଛନ୍ତି ୩୫ଜଣ ଯୁବକ। ଏଭଳି ମୁକ୍ତାକାଶ ଜିମ୍ ଦେଖିବାକୁ ମିଳିଛି ଜୟପୁର ସହର ଉପକଣ୍ଠସ୍ଥ ପାଂଜିଆଗୁଡ଼ାରେ।
ଜୟପୁର ସହର ଉପକଣ୍ଠରେ ଥିବା ପାଂଜିଆଗୁଡ଼ା ନିକଟସ୍ଥ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଙ୍ଗଲ ମଧ୍ୟରେ ରହିଛି ଏହି ମୁକ୍ତାକାଶ ଜିମ୍। ଏଠାରେ ବ୍ୟାୟାମ କରିବା ପାଇଁ ସବୁ ରକମର ଉପକରଣ ରହିଛି। ହେଲେ ଏସବୁ ଅନ୍ୟ ଜିମ୍ ପରି ବ୍ରାଣ୍ଡେଡ୍ କିମ୍ବା ଯନ୍ତ୍ର ଚାଳିତ ନୁହେଁ। ଏସବୁ ତିଆରି ହୋଇଛି ଜଙ୍ଗଲରୁ ସଂଗୃହୀତ କାଠ, ଟାୟାର, ସିମେଣ୍ଟ କଂକ୍ରିଟ ଖଣ୍ଡ ଓ ନଦୀ ବାଲିରେ। ଏଠାକୁ ପ୍ରତିଦିନ ୩୦ରୁ ୩୫ଜଣ ଯୁବକ ଆସି ନିଜ ଶରୀରକୁ ସୁସ୍ଥ ରଖିବାକୁ ବ୍ୟାୟାମ କରୁଛନ୍ତି। ହେଲେ ଏହି ମୁକ୍ତାକାଶ ଜିମ୍ ନିର୍ମାଣ କରିଛନ୍ତି ସ୍ଥାନୀୟ ଆଦିବାସୀ ଯୁବକ ଶିବରାମ କଟିଆ। ଶିବରାମ ବୃତ୍ତିରେ ଜଣେ ଗାଡ଼ି ଡ୍ରାଇଭର। ହେଲେ ନିଶା କିନ୍ତୁ ନିଜେ ଶାରିରୀକ ସୁସ୍ଥ ରହିବା ସହ ଯୁବବର୍ଗଙ୍କୁ ଫିଜିକାଲ ଫିଟନେସ୍ ତାଲିମ ଦେବା। ତାଙ୍କର ଏହି ଉଦ୍ୟମ ଫଳରେ ଅନେକ ଯୁବକ ପୁଲିସ ଓ ସୈନ୍ୟ ବାହିନୀରେ ଯୋଗ ଦେଇଛନ୍ତି। ଆଉ କିଛି ଯୁବବର୍ଗ ଏବି ବି ତାଲିମ ନେଉଛନ୍ତି। ଜିମରେ ଯୁବବର୍ଗଙ୍କୁ ମାଗଣା ତାଲିମ ଦିଆଯାଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ସହ ଅନ୍ୟାନ୍ୟ ଖର୍ଚ୍ଚ ଶିବରାମ ନିଜ ଦରମା ଟଙ୍କାରୁ ହିଁ କରି ଆସୁଛନ୍ତି। ଶିବରାମଙ୍କ ପିଲାଟି ଦିନରୁ ଫିଜିକାଲ ଫିଟନେସ୍ ପ୍ରତି ପ୍ରବଳ ଆଗ୍ରହ ରହିଥିଲା। ବାପା ସୀତାରାମ କୋଟିଆଙ୍କ ଠାରୁ ସେ ପିଲା ବେଳରୁ ଲାଠି, ଖଣ୍ଡା ଆଦି ବୁଲାଇବା ପରି ଆଖଡ଼ା ବ୍ୟାୟାମ ଶିଖିଥିଲେ।
ବାପା ରିକ୍ସାଚାଳକ ହୋଇଥିଲେ ହେଁ ସେ ତାଙ୍କ ଦୁଇ ପୁଅଙ୍କୁ କିଭଳି ସୁସ୍ଥ ଓ ସୁନ୍ଦର ସ୍ବାସ୍ଥ୍ୟ ଗଠନ କରିବେ ତାହା ଶିଖାଉଥିଲେ। ପିଲାଟି ବେଳରୁ ଶିଖି ଆସିଥିବା ଆଖଡ଼ା ବ୍ୟାୟାମ ଅନ୍ୟଙ୍କୁ ଶିଖାଇବାକୁ ସେ ନିଷ୍ପତ୍ତି ନେଇଥିଲେ। ଗରିବ ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବ ବୋଲି ଶିବରାମ ଅଙ୍ଗେ ନିଭାଇଥିବାରୁ ଏଭଳି ମାଗଣା ଜିମ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ଖ୍ରୀଷ୍ଟିଆନପେଟାର ଶିବା ଲଜ୍ ନିକଟସ୍ଥ ଜିମକୁ ଯାଇ ୬ମାସ କାଳ ଶରୀରର ବିଭିନ୍ନ ଅଙ୍ଗର ବୃଦ୍ଧି ପାଇଁ ବ୍ୟାୟାମ କିଭଳି କରାଯାଏ ତାହାର କୌଶଳ ଶିଖିଥିଲେ। ଜିମରେ ବ୍ୟବହାର କରୁଥିବା ବିଭିନ୍ନ ବ୍ୟାୟାମ ସାମଗ୍ରୀ ଗୁଡ଼ିକୁ ଦେଖି ପ୍ରଥମେ ନିଜ ଘରେ କାଠ, ଟାୟାର, ସିମେଣ୍ଟ ଓ କଂକ୍ରିଟ ଇଟା ସଂଗ୍ରହ କରି ଛୋଟିଆ ଜିମଟିଏ କରିଥିଲେ। ପରେ ସେ ପାଂଜିଆଗୁଡ଼ା ତଥା ଓପିଟିସିଏଲ୍ ଗେଟ୍ ସମ୍ମୁଖରେ ଥିବା ଘଞ୍ଚ ଜଙ୍ଗଲ ମଧ୍ୟରେ ଜିମ୍ ଆରମ୍ଭ କରିଥିଲେ।
ପ୍ରଥମେ ୩ଜଣ ଯୁବକ ଜିମକୁ ଆସୁଥିବା ବେଳେ ଏବେ ସହରର ନୂଆସାହି, ଜୟନଗର, ବାରିଣୀପୁଟ, ଖ୍ରୀଷ୍ଟିଆନ ସାହି ସହ ପାଂଜିଆଗୁଡ଼ା, ବାୟାଗୁଡ଼ା ଆଦି ଆଖପାଖ ଗାଁର ୩୫ଜଣ ପିଲା ସବୁଦିନ ବ୍ୟାୟାମ କରିବାକୁ ଆସୁଥିବା କହିଛନ୍ତି ଶିବରାମ। ସ୍ବଳ୍ପ ଦରମାରେ ସ୍ତ୍ରୀ, ୩ ଛୁଆ, ବାପା ଓ ମାଙ୍କୁ ନେଇ ପରିବାରର ପ୍ରତିପୋଷଣ କରିବା ସହ ଜିମର ରକ୍ଷଣାବେକ୍ଷଣ ମଧ୍ୟ କରି ଆସୁଛନ୍ତି ଶିବରାମ। ଅତ୍ୟାଧୁନିକ ଯନ୍ତ୍ରପାତି ଥିବା ଜିମକୁ ଯାଇ ଟଙ୍କା ଖର୍ଚ୍ଚ କରି ବ୍ୟାୟାମ କରିବା ଅପେକ୍ଷା ପ୍ରାକୃତିକ ଉପାୟରେ ଶରୀର ଗଠନ କରିପାରିଲେ ଶରୀର ଶକ୍ତ ଓ ମଜଭୁତ ରହିବ ବୋଲି କହିଛନ୍ତି ଶିବରାମ। ମାନସିକ ଓ ଶାରିରୀକ ଭାବେ ଜଣେ ସୁସ୍ଥ ରହିଲେ ସେ ସୁସ୍ଥ ଓ ବିକଶିତ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଛନ୍ତି। ଶିବରାମଙ୍କ ଏଭଳି ଉଦ୍ୟମ ଓ ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
The post ଆଦିବାସୀ ଯୁବକଙ୍କ ନିଆରା ସଉକ, ପ୍ରାକୃତିକ ସାମଗ୍ରୀକୁ ନେଇ କରିଛନ୍ତି ମୁକ୍ତାକାଶ ଜିମ୍ first appeared on Sambad.
from ଜିଲ୍ଲା – Sambad https://ift.tt/2Ygkg5d
0 Comments