ମାହାଙ୍ଗା: ଟ୍ୟୁସନ୍‌ ଶିକ୍ଷକଙ୍କ ମାଡ଼ରେ ସ୍ଥାନୀୟ କୋଳିଅଠା ଗ୍ରାମର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇଛି। ଆହତ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି।
ଅଭିଯୋଗ ମୁତାବକ, ମାହାଙ୍ଗା ଥାନା ଅନ୍ତର୍ଗତ କୋଳିଅଠା ଗ୍ରାମର କିଶୋର ମାଢ଼େଇଙ୍କ ପୁଅ ସୁଶିଲ ମାଢ଼େଇଙ୍କୁ ସେହି ଗ୍ରାମର ମୃତ୍ୟୁଞ୍ଜୟ ସାମଲ ଟ୍ୟୁସନ କରୁଥିଲେ। ଆଜି ସୁଶିଲ ଟ୍ୟୁସନ୍‌କୁ ଯାଇଥିଲା ବେଳେ ଶିକ୍ଷକ ନ ଥିବାରୁ କିଛି ସମୟ ପରେ ଶୌଚ ପାଇଁ ଘରକୁ ଚାଲି ଆସିଥିଲେ।

ପରିବାର ଲୋକମାନେ ଏ ସଂପର୍କରେ ଶିକ୍ଷକ ମୃତ୍ୟୁଞ୍ଜୟଙ୍କୁ ଫୋନ୍‌ କରି ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିବା ମୃତ୍ୟୁଞ୍ଜୟ ଶୌଚ ପରେ ପୁନର୍ବାର ଟ୍ୟୁସନ୍‌କୁ ଆସିଥିବା ସୁଶିଲଙ୍କୁ ବେତରେ ମାଡ଼ ମାରିଥିଲେ। ଫଳରେ ତାଙ୍କ ବାମ ହାତ ଭାଙ୍ଗିଯିବା ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଖବର ପାଇ ପରିବାର ଲୋକମାନେ ପହଞ୍ଚି ତାଙ୍କୁ ପ୍ରଥମ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏ ନେଇ ସୁଶିଲଙ୍କ ବାପା କିଶୋର ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଥାନା ଆଇଆଇସି ରଂଜନ କୁମାର ପ୍ରଧାନଙ୍କୁ ପଚାରିବାରୁ ଶିକ୍ଷକ ମୃତ୍ୟୁଞ୍ଜୟଙ୍କୁ ଥାନାରେ ଅଟକ ରଖାଯାଇ ଘଟଣାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।

The post ଥାନାରେ ଅଭିଯୋଗ, ଶିକ୍ଷକ ଅଟକ; ଟ୍ୟୁସନ୍‌ ଶିକ୍ଷକଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ର ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3tIZrha