
ମାଲକାନଗିରି: ଓଡ଼ିଶା ହାତରୁ ଖସୁଛି ଆନ୍ଧ୍ର ସୀମାନ୍ତ ଆଉ ଗୋଟିଏ ଗାଁ। ବର୍ଷ ବର୍ଷ ଧରି ଆନ୍ଧ୍ର ସରକାରଙ୍କ ଠାରୁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇ ସଂପୂର୍ଣ୍ଣ ଢଳି ସାରିଲେଣି ଗ୍ରାମବାସୀ। ଏପରିକି ନିଜ ମାତୃଭାଷାକୁ ଭୁଲି ସାରିଲେଣି। କୋରାପୁଟ ଜିଲ୍ଲାର କୋଟିଆ ଭଳି ବିବାଦୀୟ ସ୍ଥିତି ଏଠାରେ ଉତ୍ପନ୍ନ ହୋଇସାରିଛି। ଚଳିତ ସପ୍ତାହରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀ ସାମିଲ ହେବେ ବୋଲି ସୂଚନା ମିଳିଛି। ତୁରନ୍ତ କୌଣସି ପଦକ୍ଷେପ ନିଆ ନଗଲେ ଆନ୍ଧ୍ର ମାନଚିତ୍ରରେ ଏହି ଗାଁ କେତେବେଳେ ଯେ ଯୋଡ଼ି ହୋଇଯିବ ତାହା କହିହେବ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି।
ମାଲକାନଗିରି ଜିଲ୍ଲା ଚତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡ଼ାଙ୍ଗ ଗାଁ ଉପରେ ପଡ଼ିଛି ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି। ଓଡ଼ିଶା ସରକାର ଏବଂ ପ୍ରଶାସନିକ ଅବହେଳାର ସୁଯୋଗ ନେଇ କିଛିବର୍ଷ ତଳେ ଏହି ଗାଁରେ ଅନୁପ୍ରବେଶ କରିଥିଲେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ। ପ୍ରଥମେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେଇଥିଲେ। ଲୋକେ ଆନ୍ଧ୍ର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବାରୁ ଗାଁକୁ ପକ୍କା ରାସ୍ତା କରାଗଲା। ସମସ୍ତ ଘରକୁ ବିଦ୍ୟୁତ ସଂଯୋଗ ଦେଇ ବିଦ୍ୟାଳୟ ମଧ୍ୟ ଖୋଲିଲେ ଆନ୍ଧ୍ର ସରକାର। ଏହାପରେ ପୂରା ଗାଁକୁ ଅକ୍ତିଆର କରିବାକୁ ଲୋକଙ୍କୁ ଆନ୍ଧ୍ରର ପରିଚୟ ପତ୍ର ଦିଆଯାଇଛି। ଏବେ ଗ୍ରାମବାସୀ ଆନ୍ଧ୍ର ଦେଇଥିବା ଭୋଟର କାର୍ଡ, ରାସନ କାର୍ଡ ଏବଂ ଆଧାର କାର୍ଡକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। କାଁ ଭାଁ ଲୋକଙ୍କୁ ବାଦ ଦେଲେ ସମସ୍ତେ ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା କରୁଛନ୍ତି।
ଏପରିକି ଗଣମାଧ୍ୟମ ସମ୍ମୁଖରେ ଆନ୍ଧ୍ର ସରକାରଙ୍କ ଗୁଣଗାନ କରିବାକୁ ବି ପଛାଇ ନାହାନ୍ତି ଏହି ଦୁର୍ଗମ ତଥା ସୀମାନ୍ତ ଗାଁର ଲୋକ। ନକ୍ସଲ ପ୍ରବଣ ଏହି ଅଞ୍ଚଳରେ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ପାଦ ପଡ଼େନାହିଁ। ଯାହାର ସୁଯୋଗ ନେଇ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓ ରାଜନେତା ଓଡ଼ିଶା ବିରୋଧରେ ଏତେ ବଡ଼ ଷଡ଼୍ଯନ୍ତ୍ର କରିଥିବା କୁହାଯାଉଛି। ଗ୍ରାମବାସୀ ବର୍ତ୍ତମାନ ଏତେ ମାତ୍ରରେ ଉତ୍ସାହିତ ଅଛନ୍ତି ଯେ, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ବି ଭାଗନେବେ ବୋଲି ଖୋଲାଖୋଲି କହୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗାଁରେ ଆଖି ବୁଲାଇ ଆଣିଲେ ଆନ୍ଧ୍ର ସରକାରଙ୍କ ପ୍ରକଳ୍ପ ହିଁ ଦେଖିବାକୁ ମିଳିବ। ଏପରିକି ପ୍ରକଳ୍ପ ଗୁଡ଼ିକରେ ତେଲୁଗୁ ଭାଷାରେ ଆନ୍ଧ୍ର ସରକାରଙ୍କ ଅବଦାନ ସଂପର୍କରେ ଉଲ୍ଲେଖ କରାଯାଇଛି। ଅପରପେକ୍ଷ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ନିରବ ରହିଛନ୍ତି।
The post ଆନ୍ଧ୍ର କବ୍ଜାରେ ଓଡ଼ିଶାର ଜୁମଡ଼ାଙ୍ଗ, ପଞ୍ଚାୟତ ନିର୍ବାଚନରେ ଭୋଟ ଦେବେ ଗ୍ରାମବାସୀ first appeared on Sambad.
from ଜିଲ୍ଲା – Sambad https://ift.tt/3rQv7j5
0 Comments