କରଞ୍ଜିଆ/ସିଙ୍ଗଡ଼ା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢ଼େଇଭୋଳ ଗ୍ରାମର ଅବଦୁଲ୍ଲା ଅନ୍‌ସାରୀ (୫୫)ଙ୍କ ଘରେ ଆଜି ପୁଲିସ ଚଢ଼ଉ କରି ହାତୀଦାନ୍ତ ସହିତ କିଛି ମୂଲ୍ୟବାନ ମୂର୍ତ୍ତି ଜବତ କରିଛି। ଏହି ଘଟଣାରେ ଶ୍ରୀ ଅନ୍‌ସାରୀଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଏହାପଛରେ ଏକ ସଙ୍ଗଠିତ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି। ଏ ସଂପର୍କରେ ଅଧିକ ଖୋଳତାଡ଼ ପାଇଁ ଏସ୍‌ଟିଏଫ୍‌କୁ ସ୍ଥାନୀୟ ପୁଲିସ ସମସ୍ତ ତଥ୍ୟ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

ଚଢ଼େଇଭୋଳ ଗ୍ରାମର ଅବଦୁଲ୍ଲା ଅନ୍‌ସାରୀଙ୍କ ଘରେ ହାତୀଦାନ୍ତ ଓ ମୂଲ୍ୟବାନ ମୂର୍ତ୍ତି ଥିବା ନେଇ କରଞ୍ଜିଆ ପୁଲିସକୁ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ଗତକାଲି ରାତିରେ ପୁଲିସ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, କରଞ୍ଜିଆ ଥାନା ଆଇଆଇସି ସରୋଜିନୀ ସିଂ, ଏସ୍‌ଆଇ ଜୟନ୍ତୀ ମଲ୍ଲିକ, ଚଢ଼େଇଭୋଳ ଫାଣ୍ଡି ଅଧିକାରୀ ଟି.କେ.ପରିଡ଼ା ଏବଂ ପୁଲିସ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ଅତର୍କିତ ଚଢ଼ଉ କରିଥିଲା। ଖାନତଲାସ ବେଳେ ଶ୍ରୀ ଅନ୍‌ସାରୀଙ୍କ ଘରୁ ୮ ଇଞ୍ଚ ଲମ୍ବର ହାତୀଦାନ୍ତ ସହ କିଛି ମୂଲ୍ୟବାନ ମୂର୍ତ୍ତି ଜବତ କରିଥିଲା ପୁଲିସ। ଏ ନେଇ ଆଇପିସି ୪୧୧, ସିଆର୍‌ପିସି ଧାରା ୩୭୬ ଓ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍‌ ୧୯୭୨- ଧାରା ୫୦ ଅନୁଯାୟୀ କେସ୍ ନଂ ୫୧/୨୧ରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣା ବାବଦରେ ଏସ୍‌ଟିଏଫ୍‌କୁ ଅବଗତ କରାଯାଇଥିବା ଏସ୍‌ଡିପିଓ ଶ୍ରୀ ଭୂୟାଁ ‘ସମ୍ବାଦ’କୁ କହିଛନ୍ତି।

The post ଘର ଭିତରୁ ହାତୀଦାନ୍ତ ଓ ମୂଲ୍ୟବାନ ମୂର୍ତ୍ତି ଜବତ, ଗୃହକର୍ତ୍ତାଙ୍କୁ କୋର୍ଟଚାଲାଣ first appeared on Sambad.



from ଜିଲ୍ଲା – Sambad https://ift.tt/3b05Trp