ହିନ୍ଦୋଳ/ଖଜୁରିଆକଟା : ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସବ୍‌ସବ୍‌ଡିଭିଜନ୍‌ର ତର୍କାବେଡ଼ାଠାରେ ରୁଙ୍ଗ୍‌ଟାର ରାସ୍ତା ନିର୍ମାଣକୁ କେନ୍ଦ୍ରକରି ପ୍ରଶାସନ ଓ ଗ୍ରାମବାସୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ପଟେ ପ୍ରଶାସନ ରୁଙ୍ଗ୍‌ଟା ପାଇଁ ରାସ୍ତା ନିର୍ମାଣ କରିଥିବାବେଳେ ଅନ୍ୟପଟେ ଏହାପୂର୍ବରୁ ୧୪୪ ଧାରା ଜାରି କରି ୮୫ ଜଣ ଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଘଟଣାକୁ କେନ୍ଦ୍ରକରି ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ତର୍କାବେଡ଼ା-ନିମବାହାଳି ରାସ୍ତା କେବଳ ତର୍କାବେଡ଼ା ଗାଁ ଲୋକଙ୍କ ନୁହେଁ, ବରଂ ଆଖପାଖ ସାତ ଖଣ୍ଡ ପଞ୍ଚାୟତର ଜୀବନରେଖା। କିନ୍ତୁ, ଏହି ଜୀବନରେଖାକୁ ରୁଙ୍ଗ୍‌ଟା କମ୍ପାନି କବ୍‌ଜା କରିବାକୁ ଚାହୁଁଛି। ଏବଂ, କମ୍ପାନି ସ୍ବାର୍ଥ ସହ ହଁ ମିଳାଇଛି ପ୍ରଶାସନ। ମୁଖ୍ୟ ରାସ୍ତାକୁ କମ୍ପାନି ହାତକୁ ଟେକି ଦେଇ ଲୋକଙ୍କୁ ଜଙ୍ଗଲ ଭିତରେ ଯିବା ପାଇଁ ବାଧ୍ୟ କରାଯାଉଥିଲା। ଲୋକେ କିନ୍ତୁ ବିକଳ୍ପ ରାସ୍ତାକୁ ଗ୍ରହଣ କରୁନଥିଲେ।

ଏହାକୁ ବିରୋଧ କରି ଗତ ଜାନୁଆରି ୪ତାରିଖରୁ ତର୍କାବେଡ଼ା ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଏବଂ ଗାଣତାନ୍ତ୍ରିକ ଉପାୟରେ ରାସ୍ତା ନିକଟରେ ଧାରଣା ଦେଇ ଆସୁଥିଲେ। ଧାରଣା ଆଜକୁ ୪୧ଦିନରେ ପହଞ୍ଚିବାକୁ ଥିଲା।

କିନ୍ତୁ, ଆନ୍ଦୋଳନକୁ ଦମନ ପାଇଁ ହିନ୍ଦୋଳ ପ୍ରଶାସନ ବେଶ୍ ପୂର୍ବରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ହିନ୍ଦୋଳ ଆଦର୍ଶ ସ୍କୁଲରେ ଅସ୍ଥାୟୀ ହାଜତ ବ୍ୟବସ୍ଥା କରାଯାଇଥିଲା। ପ୍ରାୟ ୫ପ୍ଲାଟୁନ ପୁଲିସ ଫୋର୍ସ ଆଜି ସକାଳୁ ସକାଳୁ ଘଟଣାସ୍ଥଳକୁ ପଠାଯାଇଥିଲା। ସକାଳୁ ସକାଳୁ ଗ୍ରାମ ସଭାପତିଙ୍କ ସମେତ ୮୫ଲୋକଙ୍କୁ ପୁଲିସ ବାନ୍ଧି ଅସ୍ଥାୟୀ ହାଜତକୁ ପଠାଇଛି। କେଇ ଘଣ୍ଟା ଭିତରେ ମେସିନ୍‌ ଲଗାଇ ଗଛ କାଟିବା ସହିତ ମାଟି ଖୋଳି ତା’ ଉପରେ ସାଙ୍ଗେ ସାଙ୍ଗେ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ କରିଛନ୍ତି।

ତର୍କାବେଡ଼ା ଗାଁ ସଭାପତି ଶତ୍ରୁଘ୍ନ ପ୍ରଧାନ କହିଛନ୍ତି ଯେ, ୧୪୪ଧାରା ଆଳରେ ହିନ୍ଦୋଳ ପ୍ରଶାସନ ପୁଲିସ ବଳରେ ଆଜି ଯେଭଳି ଶିଳ୍ପର ସ୍ବାର୍ଥ ପୂରଣ କଲା, ତାହା ବ୍ରିଟିଶ ଶାସନ ସମୟର ଘଟଣା ଭଳି।

ଅନ୍ୟପକ୍ଷରେ, ଏ ରାସ୍ତା କାମ ପାଇଁ ଗଣ୍ଡଗୋଳ ଆଶଙ୍କା ରହିଥିବାରୁ ୧୪୪ଧାରା ଜାରି କରାଯାଇଛି ବୋଲି ଉଦୟକୁମାର ମହାପାତ୍ର ‘ସମ୍ବାଦ’କୁ କହିଛନ୍ତି।

The post ରୁଙ୍ଗ୍‌ଟା ପାଇଁ ପ୍ରଶାସନର ବଳପ୍ରୟୋଗ : ୮୫ ଜଣଙ୍କୁ ବାନ୍ଧି ରାସ୍ତା କଲା first appeared on Sambad.



from ଜିଲ୍ଲା – Sambad https://ift.tt/3pij5gm