ପାରଳାଖେମୁଣ୍ଡି : ସ୍ଥାନୀୟ ଟାଉନ୍‌ ହଲ ଠାରେ  ଜିଲ୍ଲାସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ କୋଭିଡ଼୍‌ ଟିକାକରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏବଂ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ମିଳିତ ଭାବେ ଶୁଭାରମ୍ଭ କରିଥିଲେ।  ପ୍ରଥମେ କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରୁ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କୋଭିଡ୍‌ ଟିକା ନେଇଥିଲେ। ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧା ଟିକାନେଇ ନିଜେ କରୋନାମୁକ୍ତ ହେବା ସହ ସମାଜକୁ ସୁସ୍ଥ ରଖିବାରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ।  ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ବ୍ଲକ୍‌ରେ  କରାଯିବ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି।

ଯେଉଁମାନେ ଟିକା ନେବେ, ପୂର୍ବରୁ ସେମାନଙ୍କ ନାମ  ପୋର୍ଟାଲ ପଞ୍ଜୀକରଣ ହୋଇଛି। କୋଭିଡ୍‌ ଟିକାକରଣ ପାଇଁ ଯେଉଁମାନଙ୍କୁ ମୋବାଇଲ ଯୋଗେ ମେସେଜ ଆସୁଛି, ସେମାନେ ହିଁ ଏହି ଟିକା ନେଉଛନ୍ତି। ପ୍ରତିଦିନ ଏହା ଅନ୍ୟୁନ ୧୦୦ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ଏହି  ଟିକା ଦେବାପାଇଁ ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ କହିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ସମସ୍ତ ବ୍ଲକ୍‌ର ୯ଟି ସ୍ଥାନରେ ୨ ହଜାର ୯୫୭ ଜଣ  କୋଭିଡ୍‌ ଯୋଦ୍ଧାଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଆଜି  ଟିକାକରଣ କାର୍ଯ୍ୟକ୍ରମରେ ପ୍ରାୟ ୧୮୪ ଜଣ  କୋଭିଡ୍‌ ଯୋଦ୍ଧା ଟିକା ନେଇଥିବା ଜଣାଯାଇଛି। ଆଜି କୋଭିଡ୍‌ ଟିକାକରଣର ଦ୍ବିତୀୟ ପର୍ଯ୍ୟାୟରେ କମାଣ୍ଡାଣ୍ଟ   ଜୁରିଆ ବେହେରା, ଅତିରିକ୍ତ ଏସ୍‌.ପି ସୀତାରାମ ଶତପଥୀ, ଡିଏସ୍‌ପି ରାମକୃଷ୍ଣ ପତି, ଆଦର୍ଶ ଥାନାଧିକାରୀ  ବିବେକାନନ୍ଦ ସ୍ବାଇଁ,  ଆଇଟିଡିଏ. ପିଏ, ସରୋଜ କୁମାର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ କୋଭିଡ୍‌ ଟିକା ନେଇଥିଲେ।

 

The post ଗଜପତି ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ first appeared on Sambad.



from ଜିଲ୍ଲା – Sambad https://ift.tt/3oXteiC