
ନବରଙ୍ଗପୁର : ନବରଙ୍ଗପୁର କୃଷକ ସୂଚନା କେନ୍ଦ୍ର ଉଦ୍ଘାଟନକୁ କେନ୍ଦ୍ରକରି ଗତକାଲି ଠାରୁ ଆରମ୍ଭ ହୋଇଥିବା ରାଜନୈତିକ ଛକାପଞ୍ଝା ଥାନାରେ ପହଞ୍ଚିଛି। ଗତକାଲି ରାତିରେ ନବରଙ୍ଗପୁର ଆରଏମ୍ସି ସଂପାଦକ ଏବଂ ବିଜେପି ନେତା ପୃଥକ ପୃଥକ ଏତଲା ଦେଇଥିବା ସୂଚନା ମିଳିଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାଁରେ ବି ଏତଲା ଦିଆଯାଇଛି। ପୁଲିସ ଉଭୟ ଏତଲାକୁ ଗ୍ରହଣ କରିଥିବାବେଳେ ସଂଧ୍ୟା ସୁଦ୍ଧା ଗୋଟିଏ ମାମଲା ରୁଜୁ କରିଛି। ଯାହାକୁ ନେଇ ନବରଙ୍ଗପୁରରେ ପୁଣି ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ନବରଙ୍ଗପୁର ଆରଏମ୍ସି ପରିସରରେ ନୂତନ ଭାବେ ନିର୍ମିତ କୃଷି ସୂଚନା କେନ୍ଦ୍ର ଉଦ୍ଘାଟନ ପାଇଁ ପହଞ୍ଚିଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ତେବେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଏବଂ ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛି ଚାଷୀ ବି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଚାଷୀଙ୍କ ପ୍ରଶ୍ନର ଉତ୍ତର ନ ମିଳିବା ପର୍ଯ୍ୟନ୍ତ କୃଷି ସୂଚନା କେନ୍ଦ୍ର ଉଦ୍ଘାଟନ କରିବାକୁ ଦିଆଯିବ ନାହିଁ ବୋଲି ଅଡ଼ି ବସିଥିଲେ। କିଛି ଚାଷୀ ନେତା ପହଞ୍ଚି ସେମାନଙ୍କ ଧାନ କେବେ ଉଠିବ ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ବିଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇ ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଶ୍ରୀ ଦାସବର୍ମା ଆସନ୍ତକାଲି ସଂଧ୍ୟା ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ ଉଠିବ ବୋଲି ପ୍ରତିଶ୍ରୁତି ଦେଇ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଚାଲି ଯାଇଥିଲେ।
କଥା ଏତିକିରେ ସରି ନଥିଲା। ଉଦ୍ଘାଟନ କାର୍ଯ୍ୟକ୍ରମ ପରେ ବିଜେପି, କଂଗ୍ରେସ ନେତାଙ୍କ ସହ କିଛି ଚାଷୀଙ୍କ ବିରୋଧରେ ଗତକାଲି ରାତିରେ ଏତଲା ଦିଆଯାଇଥିଲା।
ସେହିପରି ବିଳମ୍ବିତ ରାତିରେ ବିଜେପିର ଯୁବନେତା ତଥା ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ।
ପୁଲିସ ଉଭୟ ପକ୍ଷର ଏତଲାକୁ ଗ୍ରହଣ କରିଛି। ଆରଏମ୍ସି ସଂପାଦକଙ୍କ ଏତଲା ଆଧାରରେ ୫୯/୨୧ରେ ପୁଲିସ ମାମଲା ରୁଜୁ କରିଛି। ସଂଧ୍ୟା ସୁଦ୍ଧା ବିଜେପି ନେତାଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ନଥିବା ସୂଚନା ମିଳିଛି।
The post ନବରଙ୍ଗପୁରରେ ବିଜେଡି-ବିଜେପି ମୁହାଁମୁହିଁ ଘଟଣା : ସଂଜୟ, ପ୍ରଣବଙ୍କ ନାଁରେ ଏତଲା ଦେଲା ବିଜେପି first appeared on Sambad.
from ଜିଲ୍ଲା – Sambad https://ift.tt/39PH7ex
0 Comments