ରାଜଗାଙ୍ଗପୁର : ରାଜଗାଙ୍ଗପୁର ଡ୍ରଗ୍‌ସ କାରବାରର ପେଣ୍ଠସ୍ଥଳ ପାଲିଟିଛି। ପ୍ରାୟ ବର୍ଷେ ତଳେ ରାଜଗାଙ୍ଗପୁର ସହରର ଜନୈକ ଔଷଧ ବ୍ୟବସାୟୀଙ୍କୁ ଡ୍ରଗ୍‌ସ କାରବାର ଅଭିଯୋଗରେ ସମ୍ବଲପୁର ପୁଲିସ ଗିରଫ କରିଥିଲା। ପୁଣି ପ୍ରାୟ ୪ ମାସ ତଳେ ସମାନ କାରଣ ପାଇଁ ସହରର ଏକ ଔଷଧ ଦୋକାନର ୨ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ପୁଣି ଜଣେ ଔଷଧ ଦୋକାନୀଙ୍କୁ ବୁର୍ଲା ପୁଲିସ ଗିରଫ କରିଛି। ସେ ହେଉଛନ୍ତି ସ୍ଥାନୀୟ ବିଜେପି ନେତା ଦିଲୀପ ସାହୁ। ଉଲ୍ଲେଖନୀୟ ଯେ ଦିଲୀପ ବିଜେପିର ରାଜଗାଙ୍ଗପୁର ମଣ୍ଡଳ ସଂପାଦକ ଅଛନ୍ତି।

ଦିଲୀପଙ୍କର ସ୍ଥାନୀୟ ସୁବା‌ଷ ଛକ ଓ ରାଞ୍ଚିରୋଡ଼ଠାରେ ଦୁଇଟି ଔଷଧ ଦୋକାନ ରହିଛି। ରାଜଗାଙ୍ଗପୁରରେ ରହି ବିଭିନ୍ନ ସ୍ଥାନକୁ ଔଷଧ ନାଁରେ ସେ ବିଭିନ୍ନ ଡ୍ରଗସ୍‌ ଚାଲାଣ କରୁଥିଲେ ବୋଲି କୁହାଯାଉଛି। ନିକଟରେ ସମ୍ବଲପୁରର ବିଭିନ୍ନ ଥାନା ଅଞ୍ଚଳରେ ଡ୍ରଗସ କାରବାର ହେଉଥିବାର ସୂଚନା ପାଇବାପରେ ଅଇଁଠାପାଲି, ବୁର୍ଲା ଓ ଧନୁପାଲି ଆଦିରେ ଡ୍ରଗ୍‌ସ ଧରପଗଡ଼ ସମୟରେ ତାହାର ରାଜଗାଙ୍ଗପୁର ଲିଙ୍କ୍‌ ଜଣାପଡ଼ିଥିଲା। ବୁର୍ଲା ପୁଲିସ ଦ୍ବାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଦିଲୀପଙ୍କ ଠାରୁ ଡ୍ରଗ୍‌ସ କିଣି ଥିବାର ପୁଲିସ ଆଗରେ ସ୍ବୀକାର କରିଥିଲା। ସେହି ସୂଚନା ଆଧାରରେ ଅଧିକ ତଦନ୍ତ ଓ ପଚରାଉଚରା ପାଇଁ ବୁର୍ଲା ପୁଲିସ ରାଜଗାଙ୍ଗପୁରକୁ ଆସି ଦିଲୀପଙ୍କୁ ବୁର୍ଲା ନେଇଯାଇଥିଲେ। ତଦନ୍ତରେ ଦିଲୀପଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

The post ଔଷଧ ବେପାର ନାଁରେ ଡ୍ରଗ୍‌ସ ଚାଲାଣ, ଡ୍ରଗ୍‌ସ କାରବାର ଅଭିଯୋଗରେ ବିଜେପି ନେତା ଗିରଫ first appeared on Sambad.



from ଜିଲ୍ଲା – Sambad https://ift.tt/3tplV6D