
ରାଜକନିକା: ଅଶୋକ ବଜାର–ଥାନା ରାସ୍ତାର କେନ୍ଦ୍ରାପଡ଼ା କ୍ରେଡିଟ୍ ବ୍ୟାଙ୍କ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ରାଜକନିକା ଥାନା ବାରହା-ଦୋମଣ୍ତା ପଞ୍ଚାୟତ ମାନପୁର ଗ୍ରାମର ପୀତାମ୍ବର ମଲିକଙ୍କ ପୁଅ ଅଜିତ ମଲିକ(୩୧)। ସେ ପଟ୍ଟାମୁଣ୍ଡାଇ ଶାଖାରେ ଏଲ୍ଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଦେହର କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିବା ବେଳେ ମୁହଁରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ସୂଚନା ଅନୁସାରେ, ଅଜିତ୍ ଗତକାଲି ରାତି ୩ଟାରୁ କଟକ ଯିବା ପାଇଁ ମଟରସାଇକଲ ନେଇ ଘରୁ ଆସିଥିଲେ। ରାଜକନିକା ରାଜବାଟୀ କଲୋନୀରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ମଟରସାଇକଲ ରଖିଥିଲେ। ବସ୍ ଧରିବା ପାଇଁ ଚନ୍ଦନ ପୋଖରୀ ଛକକୁ ଚାଲିଚାଲି ଯାଇଥିଲେ। ଭୋର ପ୍ରାୟ ୫ଟା ବେଳେ ପ୍ରାତଃ ଭ୍ରମଣରେ ଯାଇଥିବା କିଛି ବ୍ୟକ୍ତି ମୃତଦେହ କେନ୍ଦ୍ରାପଡ଼ା କ୍ରେଡିଟ୍ ବ୍ୟାଙ୍କ ନିକଟ ରାସ୍ତାରେ ଅଜିତ୍ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶରୀର କୌଣସି ସ୍ଥାନରେ କ୍ଷତଚିହ୍ନ ନ ଥିବା ବେଳେ ମୁହଁରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା।
ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସାର୍ଟ ପକେଟ୍ରେ ଚଷମା ଓ ପ୍ୟାଣ୍ଟ୍ ପକେଟରେ ପର୍ସ ରହିଥିବା ଦେଖିବାକୁ ମିଳିଥିଲା। ପିତା ପୀତାମ୍ବର ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅପମୃତ୍ୟୁ ମାମଲା(୩/୨୦୨୧) ରୁଜୁ କରି ଶବ ବ୍ୟବଚ୍ଛ୍ୟେଦ ପାଇଁ ଆଳି ପଠାଇଛି।
The post ଏଲ୍ଆଇସି ଏଜେଣ୍ଟଙ୍କ ସନ୍ଦେହଜନକ ମୃତ୍ୟୁ; ରାସ୍ତାରୁ ମିଳିଲା ମୃତଦେହ first appeared on Sambad.
from ଜିଲ୍ଲା – Sambad https://ift.tt/3pGqRku
0 Comments