ଟାଙ୍ଗୀ: ପଶ୍ଚିମବଙ୍ଗରୁ ରୋଗୀଙ୍କୁ ଧରି କଟକ ବଡ଼ ମେଡିକାଲକୁ ଆସୁଥିଲା ଏକ ଆମ୍ବୁଲାନ୍ସ। ହେଲେ ବାଟରେ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇ ଚାଲିଗଲା ତିନି ଜୀବନ। କଟକ ୧୬ ନମ୍ବର ଜାତୀୟ ରାଜପଥର କଟକ ଜିଲ୍ଲା ଟାଙ୍ଗୀ ବଇଁଚୁଆ ଠାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଆଜି ଭୋର ପ୍ରାୟ୬ ଟା ସମୟରେ ରାଜପଥ ଉପରେ ପାର୍କିଂ ହୋଇଥିବା ଏକ କଣ୍ଟେନର ଟ୍ରକ୍ ପଛରେ ଏକ ଘରୋଇ ଆମ୍ବୁଲାନ୍ସ ପିଟିହୋଇଛି। ଆମ୍ବୁଲାନ୍ସରେ ଥିବା ୪ ଜଣ ବ୍ୟକ୍ତି ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ପଠାଯାଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି।
ସୂଚନା ମୁତାବକ ଡ଼ବ୍ଲ୍ୟୁ.ବି -୩୩-ସି-୬୦୬୮ ନମ୍ବର ବିଶିଷ୍ଟ ବୋଲେରୋ ଆମ୍ବୁଲାନ୍ସରେ ପଶ୍ଚିମବଙ୍ଗର ମେଦିନାପୁରରୁ ରୋଗୀ ଓ ସମ୍ପର୍କୀୟଙ୍କୁ ଧରି କଟକ ବଡ଼ ମେଡିକାଲ ଅଭିମୁଖେ ଆସୁଥିଲା। ବଇଁଚୁଆ ଛକ ଠାରେ ରାଜପଥ ଉପରେ ଛିଡ଼ା ହୋଇଥିବା ଓଡି- ୦୧- କ୍ୟୁ- ୪୧୭୩ ନମ୍ବର ବିଶିଷ୍ଟ କଣ୍ଟେନର ଟ୍ରକ୍ ପଛରେ ଏହି ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଦ୍ରୁତ ଗତିରେ ପିଟି ହୋଇଯାଇଥିଲା।
ଖବର ପାଇ ଟାଙ୍ଗୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ରାଜପଥ ଆମୁଲାନ୍ସ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଗାଡ଼ି ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଡ୍ରାଇଭର ପାଖ ସିଟରେ ବସିଥିବା ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହିତ ଗୁରୁତର ଡ୍ରାଇଭର ଓ ଅନ୍ୟ ଚାରି ଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା। କଟକ ବଡ଼ ମେଡିକାଲ ରେ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟାଙ୍ଗୀ ପୁଲିସ୍ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ବର୍ତମାନ ସୁଦ୍ଧା ମୃତ ଓ ଆହତଙ୍କ ପରିଚୟ ମିଳିପାରିନାହିଁ।
The post ଆମ୍ବୁଲାନ୍ସରେ ପଶ୍ଚିମବଙ୍ଗରୁ ରୋଗୀଙ୍କୁ ଧରି କଟକ ବଡ଼ ମେଡିକାଲକୁ ଆସୁଥିବା ବେଳେ ସଡ଼କ ଦୁର୍ଘଟଣା: ଚାଲିଗଲା ତିନି ଜୀବନ first appeared on Sambad.
from ଜିଲ୍ଲା – Sambad https://ift.tt/3s8H3g4
0 Comments