
ଚୌଦ୍ବାର : ଚୌଦ୍ବାର ସର୍କଲ ଜେଲ୍ରେ ଜଣେ ଅଭିଯୁକ୍ତ କଏଦୀଙ୍କ ନିଆରା ଢଙ୍ଗରେ ବାହାଘର ଆଜି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବିବାହ ପରେ କନ୍ୟା ଶାଶୂ ଘରକୁ ଫେରିଥିବାବେଳେ ବର ଜେଲରେ ରହିଛି। ବିବାହ ସମୟରେ ୩ ମାସର ଶିଶୁ ପୁତ୍ର ଉପସ୍ଥିତ ରହିବା ସହିତ ଭୋଜିଭାତ, କେକ୍ କାଟି ଧୂମଧାମରେ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏଥିରେ ଉଭୟ ପକ୍ଷର ପରିବାର, ଜେଲର ବରିଷ୍ଠ ଅଧିକାରୀ ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଛନ୍ତି।
ସୂଚନା ଅନୁଯାୟୀ, ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଂଚାୟତର ଔରଙ୍ଗାବାଦ ଗ୍ରାମର ୨୪ ବର୍ଷୀୟ ଯୁବକ ସେହି ଗ୍ରାମର ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ପ୍ରେମ କରି ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଗର୍ଭବତୀ କରିଥିଲେ। କିନ୍ତୁ ପରେ ଯୁବକ ଜଣକ ଯୁବତୀଙ୍କୁ ବାହା ହେବାକୁ ମନା କରିବା ପରେ ଗତ ସେପ୍ଟେମ୍ବର ୮ ତାରିଖରେ ଏ ସମ୍ପର୍କରେ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ୍ କରି ଚୌଦ୍ବାର ଜେଲ ହାଜତକୁ ପଠାଇ ଦେଇଥିଲା। କିନ୍ତୁ ଯୁବତୀ ଜଣକ ଏହି ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମାମଲା ସ୍ପେଶାଲ ପୋକ୍ସୋ କୋର୍ଟରେ ବିଚାର ଚାଲିଥିଲା। କୋର୍ଟରେ ଅଭିଯୁକ୍ତ ଯୁବକ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବା ଓ ୩ ମାସର ଶିଶୁକୁ ଆପଣେଇବା ପାଇଁ ରାଜି ହେବାପରେ ଅଦାଲତ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଜେଲରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଉଭୟ ପରିବାରର ସମ୍ମତିରେ ଆଜି ଜେଲ ପରିସରରେ ନିଆରା ଢଙ୍ଗରେ ବିବାହ ସହିତ କେକ୍ କଟା ଯାଇଥିଲା। ଏହି ବିବାହ ସମ୍ପନ୍ନ କରିବାକୁ ଜେଲ୍ ପକ୍ଷରୁ ନୋଡ଼ାଲ ଏନଜିଓ ଉଦ୍ଧାର ଫାଉଣ୍ଡେସନକୁ ଦାୟିତ୍ବ ଦିଆଯାଇଥିଲା। ଅତ୍ୟନ୍ତ ମନେରାମ ପରିବେଶ ଭିତରେ ବାହାଘର ହେବା ସହ ଭୋଜିରେ ଅରୁଆ, ଡାଲମା, ଶାଗମୁଗ, ଖଟା ଓ ଖିରି ବି ପ୍ରସ୍ତୁତ କରାଯାଇଥିଲା।
ଅପରାହ୍ନ ୩ଟା ସମୟରେ ଉଦ୍ଧାର ଫାଉଣ୍ଡେସନର ପ୍ରାୟ ୧୦ଜଣ ସଦସ୍ୟ, ପୁଅ ଓ ଝିଅଙ୍କ ପକ୍ଷରୁ ୨୦ଜଣ ସଦସ୍ୟ ଏହି ବାହାଘରରେ ସାମିଲ ହୋଇଥିଲେ। ଜେଲ ଡିଆଇଜି କୁଳମଣି ବେହେରା, ଜେଲର ଅବିନାଶ ବେହେରା, ଓ୍ବେଲଫେୟାର ଅଫିସର ରାମକୃଷ୍ଣ ଦାସ, ଉଦ୍ଧାର ଫାଉଣ୍ଡେସନ୍ ସଭାପତି ନରୋତ୍ତମ ଦାସ, କିରଣବାଳା ନାୟକ, ଗୋଲାପ ସିଂ, ପ୍ରମିଳା ଓଝା, ସ୍ବପ୍ନରାଣୀ ନାୟକ, ଦିଲ୍ଲୀପ ସାହୁ, ଆବେଶ କମଲ, ଜ୍ୟୋତିପ୍ରକାଶ ପାଲ, କୀର୍ତ୍ତି ଅଭିପ୍ସା, ସରୋଜ ସାହୁ, ସାମୁଏଲ ବେହେରା, ସରୋଜ ବେହେରା, ପୁରୁଷୋତ୍ତମ ବେହେରା, ସୌମ୍ୟ ରଂଜନ ଅମାତ୍, ସେକ୍ ଆଫ୍ରୋଜ ପ୍ରମୁଖ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ।
The post ଚୌଦ୍ୱାର ସର୍କଲ ଜେଲ୍ରେ ନିଆରା ବାହାଘର : କନ୍ୟା ଫେରିଲେ ଶାଶୂ ଘର, ବର ରହିଲେ ଜେଲ୍ରେ first appeared on Sambad.
from ଜିଲ୍ଲା – Sambad https://ift.tt/3uyu1KQ
0 Comments